ବଦନାମରୁ ବଂଚିବେ କେମିତି ! କଟକ ଏସସିବି ରାଗିଂ ଘଟଣାରେ କର୍ତୃପକ୍ଷଙ୍କ ବିଚାରବିମର୍ଷ

49

କନକ ବ୍ୟୁରୋ : ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ । ଏହି ଘଟଣାରେ ଆଜି କଟକ ପୋଲିସ୍ ପୀଡିତାଙ୍କ ୩ଜଣ ସହପାଠିନୀଙ୍କ ବୟାନ ରେକର୍ଡ କରିଛି । କେତେବେଳେ, କେଉଁ ପରିସ୍ଥିତିରେ ଓ କିଏ, କଣ କମେଂଟ ମାରିଲେ ସେନେଇ ପଚରାଉଚୁରା କରିଛି ପୋଲିସ୍ । ସେପଟେ ଏତଲାରେ ଉଲ୍ଲେଖ ଥିବା ୪ ଡାକ୍ତରୀ ଛାତ୍ରଙ୍କୁ ଖୁବଶୀଘ୍ର ଜେରା କରିବ ପୋଲିସ୍ । ଏହାବାଦ୍ ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଛାତ୍ରଛାତ୍ରୀଙ୍କୁ ମଧ୍ୟ ନୋଟିସ୍ ଜାରି କରାଯିବ ।

ତେବେ ଏହି ଘଟଣା ଏବେ କଲେଜ କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । କାଳେ ଘଟଣା ବଢିଲେ, କଲେଜର ନାଁ ବଦନାମ ହେବ ସେ ଭୟ ଘାରିଛି । ତେଣୁ ଆପୋଷ ସମାଧାନ କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଲେଜର ଅନ୍ୟ ଛାତ୍ରୀ ।

କମେଂଟ ମାରିଛନ୍ତି, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି । ବାରମ୍ବାର ଏଭଳି ଘଟଣା ପରେ ଛାତ୍ରୀ ଆସିଛନ୍ତି ଥାନାକୁ । ଏଭଳି ସମ୍ବେଦନଶୀଳ ଘଟଣାର ସମାଧାନ କଲେଜରେ ନୁହେଁ କୋର୍ଟରେ ହେବା ଦରକାର ବୋଲି ଆଇନଜୀବି ମତ ଦେଇଛନ୍ତି ।