୩ ହଜାର ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ ୱାର୍ଡ ନିର୍ମାଣ ହେବ ଏସସିବିରେ ! ୩ ବର୍ଷ ଭିତରେ ସରିବ କାମ, ୫-ଟି ପରେ ୬୦ ପ୍ରତିଶତ ବଢିଛି ରୋଗୀଙ୍କ ସଂଖ୍ୟା

265

କନକ ବ୍ୟୁରୋ : ମହାନଦୀ ରିଂ’ ବନ୍ଧରୁ ଏସସିବି ଓ ବୋସ ଇଞ୍ଜିନିୟରିଙ୍ଗ ସ୍କୁଲ ମଧ୍ୟରେ ରହିଥିବା ଅଞ୍ଚଳରେ ନିର୍ମାଣ ହେବ ୩ ହଜାର ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ୱାର୍ଡ। ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ନିର୍ମାଣ ହେବାକୁ ଥିବା ଏହି ୱାର୍ଡରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ରହିବ। ଏଥିପାଇଁ ମେଡିକାଲ ପରିସରକୁ ଲାଗି ରହିଥିବା ଦୋକାନ ବଜାର, ବେହେରା କୋଲୋନି ଆଦି ଉଚ୍ଛେଦ କରାଯିବ। ପୂର୍ତ୍ତ ବିଭାଗ ଉପସଚିବ ପାରୁଲ ପଟୁଆରୀଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଏସସିବି ମେଡିକାଲରେ ପହଞ୍ଚି କ୍ଷେତ୍ର ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଦିଲ୍ଲୀର କନ୍ସଲ୍ଟାଣ୍ଟ ତଥା ଆର୍କିଟେକ୍ଟ ଡାକ୍ତର ଆର୍. ଚନ୍ଦ୍ରଶେଖରନ୍ ମଧ୍ୟ ଏସସିବିରେ ପହଞ୍ଚି ଭିତ୍ତିଭୂମିର ଯାଂଚ କରିଛନ୍ତି। ଏସସିବି ମ୍ୟାପ୍ ଦେଖିବା ସହ ଏସସିବିକୁ ସଂଲଗ୍ନ କରୁଥିବା ବିଭିନ୍ନ ସଂଯୋଗ ରାସ୍ତା, ଏସସିବିରେ ଖାଲି ପଡିଥିବା ବିଭିନ୍ନ ସ୍ଥାନ, ମାନସିକ ରୋଗ ବିଭାଗ, ହୃଦରୋଗ ବିଭାଗ ପାଖରେ ଥିବା ସୁଉଚ୍ଚ କୋଠା ସବୁ ଏହି ପ୍ରତିନିଧି ଦଳ ଯାଞ୍ଚ କରିଛନ୍ତି।

source : OrissaPOST

ସୂଚନା ଅନୁସାରେ, ଏସସିବିକୁ ଏମ୍ସ ପ୍ଲସ୍ ଡାକ୍ତରଖାନାରେ ପରିଣତ କରାଯିବ। ଗତ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ସବୁ ଗଠନ କରାଯାଇ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ପୂର୍ତ୍ତ ବିଭାଗ ଉପସଚିବ ପାରୁଲ ପଟୁଆରୀଙ୍କ ନେତୃତ୍ବରେ ଆସିଥିବା ଟିମ୍ ଡିଏମ୍ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଏସସିବି ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ଓ ସମସ୍ତ ବିଭାଗୀୟ ମୁଖ୍ୟ, ସିଏମ୍ସି କମିସନର ଅନନ୍ୟା ଦାସ, ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ଆରଆଣ୍ଡବି ଓ ଆର୍ଡିର ନିର୍ବାହୀ ଯନ୍ତ୍ରୀ ତଥା ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେମାନେ କ୍ଷେତ୍ର ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୩ହଜାର ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ହସ୍ପିଟାଲ ପାଇଁ ସ୍ଥାନ ଚିହ୍ନଟ କରିଥିଲେ। ଏହି ୩ହଜାର ଶଯ୍ୟା ବିଶିଷ୍ଟ ବହୁତଳ ପ୍ରାସାଦ କାମ ଆସନ୍ତା ୩ବର୍ଷ ଭିତରେ ଶେଷ କରିବା ପାଇଁ ଯୋଜନା ରହିଛି।

ଅନ୍ୟପଟେ  ସମୀକ୍ଷାରୁ ଜଣା ପଡିଚି ଯେ ଏସସିବିରେ ସେପ୍ଟେମ୍ବର ମାସ ସୁଦ୍ଧା ରୋଗୀ ସଂଖ୍ୟା ଯେତିକି ଥିଲା ୫-ଟି ପରେ ରୋଗୀ ସଂଖ୍ୟା ୬୦ ଭାଗ ବୃଦ୍ଧି ପାଇଛି। ବର୍ତ୍ତମାନ ଆଉଟଡୋରକୁ ୮ହଜାର ରୋଗୀ ଆସୁଥିବାବେଳେ, ଇନଡୋର ରୋଗୀ ସଂଖ୍ୟା ୩ ହଜାର ରହୁଛି। ସିଏମ୍ସି କମିସନର ଅନ୍ୟନ୍ୟା ଦାସ ମେଡିକାଲ ମଧ୍ୟରେ ପରିମଳ ବ୍ୟବସ୍ଥା ଆର୍ବଜନା ନିଷ୍କାସନ, ବର୍ଜ୍ୟବସ୍ତୁ ପରିଚଳନା, କୁକୁର ଓ ମାଙ୍କଡଙ୍କୁ ଘଉଡ଼ାଇବା ପ୍ରସଙ୍ଗରେ ଆଲୋଚନା କରିଥିଲେ।