କଟକ ଷ୍ଟେସନର ନବୀକରଣ ! ନୂଆ ରୂପ ଆଉ ନୂଆ ରଙ୍ଗରେ ରଙ୍ଗୀନ ପ୍ଲାଟଫର୍ମ, ଦିନରେ ସୁନ୍ଦର ଚିତ୍ର ଆଉ ରାତିରେ ଝଲସୁଛି ଏଲଇଡି ଲାଇଟ୍ ।

241

କନକ ବ୍ୟୁରୋ : ନୂଆ ରୂପରେ କଟକ ରେଳ ଷ୍ଟେସନ । ଦିନରେ ରଙ୍ଗୀନ ଚିତ୍ର ଯାତ୍ରୀଙ୍କ ମନ ଜିଣୁଥିବା ବେଳେ  ରାତିରେ ଝିଲମିଲ ଏଲଇଡି ଲାଇଟରେ ଝଲସୁଛି ଷ୍ଟେସନ । ଦୀର୍ଘ ଦିନ ପରେ କଟକ ରେଳ ଷ୍ଟେସନର ନବୀକରଣ କରାଯାଉଛି । କେତେକ ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିବା ଆଉ କିଛି କାମ ଜାରି ରହିଛି ।

ନୂଆ ରୂପରେ କଟକ ରେଳ ଷ୍ଟେସନ । ରଙ୍ଗୀନ ହେଉଛି ଷ୍ଟେସନର ସୌନ୍ଦର୍ଯ୍ୟ । ବଦଳୁଛି ଚିତ୍ରପଟ୍ଟ । ଦିନରେ ସୁନ୍ଦର ଚିତ୍ର ଆଉ ରାତିରେ ସୁନ୍ଦର ଆଲୋକ । ନୂଆ ରୂପରେ ଝଲସୁଛି ପ୍ଲାଟ ଫର୍ମ । ରାସ୍ତା କଡ କାନ୍ଥରେ ଅଙ୍କା ହୋଇଛି ରଙ୍ଗୀନ ଚିତ୍ର । ଶୋଭା ପାଉଛି ସହର ଏବଂ ସଂସ୍କୃତିର କଳାକୃତି । କଟକ ରେଳ ଷ୍ଟେସନର ନବକଳେବର ହୋଇଛି । ରାସ୍ତା ସଂପ୍ରସାରଣଠୁ ନେଇ ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ, ଫୁଟ୍ ଓଭରବ୍ରିଜ, ଆଲୋକୀକରଣ, କାନ୍ଥ ସୌନ୍ଦର୍ଯ୍ୟକରଣ, ନେତାଜୀ ଗ୍ୟାଲେରୀ, ଡିଜିଟାଲ ସଂଗ୍ରାହଳୟ, ଏବଂ ସେଲଫି ଜୋନ ପରି ଅନେକ ପ୍ରକଳ୍ପ କରାଯାଇଛି । ୧୦ କୋଟି ଟଙ୍କା ବ୍ୟୟରେ କେତେକ ପ୍ରକଳ୍ପର କାମ ସରିଥିବା ବେଳେ ଆଉ କେତେକର କାମ ଚାଲୁ ରହିଛି । ତେବେ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଦିଲ୍ଲୀରୁ ଆସିଥିବା ପିଏସି ଟିମ୍ କଟକ ଷ୍ଟେସନର ଭିତିଭୂମି ଯାଂଚ କରିଛନ୍ତି । ପ୍ଲାଟଫର୍ମରେ ଯାତ୍ରୀଙ୍କ ପାଇଁ କି ପ୍ରକାର ସୁବିଧା ରହିଛି ତାହା ବୁଲି ଦେଖିଥିଲେ ଟିମ୍ ସଦସ୍ୟ । ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ, ଡଷ୍ଟବିନ, ଯାତ୍ରୀ ବିଶ୍ରାମଗାର, ୱାଟର ଏଟିଏମ, ଟିକେଟ କାଉଂଟର ଏବଂ ବୋତଲ ରିସାଇକ୍ଲିଂଗ ମେସିନକୁ ଟିକିନିଖି ଯାଂଚ କରିଥିଲେ । ଷ୍ଟେସନକୁ ଜାତୀୟ ରାଜପଥ ସହ ସଂଯୋଗ କରିବା ପାଇଁ କଟକ ବରିଷ୍ଠ ନାଗରିକ ମହାସଭା ଏକ ଦାବି ପତ୍ର ପିଏସି ଟିମକୁ ଦେଇଛି । ଏହା ସହ କଟକ ଷ୍ଟେସନ ଦେଇ ଯେଉଁ ଏକ୍ସପ୍ରେସ ଟ୍ରେନଗୁଡିକ ଯାଉନାହିଁ ସେହି ଟ୍ରେନ ଚଳାଚଳ ପାଇଁ ଦାବି ହେଉଛି ।