ସ୍ୱାଇନ୍ ଫ୍ଲୁ ପରେ ଡେଙ୍ଗୁ ! ଏସସିବିରୁ ଆସିଲା ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଖବର

45

କନକ ବ୍ୟୁରୋ : ରାଜ୍ୟରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଛି । କଟକ ବଡ ଡାକ୍ତରଖାନାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି । ଏସସିବିର ସେଂଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ବିହାରର ସମପ୍ରକାଶ ମିତ୍ରା । ଡେଙ୍ଗୁରେ ପୀଡିତ ହୋଇ ଗତକାଲି ଠାରୁ ଏସସିବିରେ ଭର୍ତ୍ତି ହୋଇଥିଲେ ସମପ୍ରକାଶ ।

ସେପଟେ ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ ସୃଷ୍ଟି କରିଛି । ତା’ ସହିତ ଡେଙ୍ଗୁ  ଜ୍ୱର ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ପ୍ରତିଦିନ ଡେଙ୍ଗୁ ଓ ସ୍ୱାଇନ୍‌ ଫ୍ଲୁ ରୋଗରେ ପୀଡ଼ିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ରାଜ୍ୟରେ ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ପୂର୍ବରୁ ସ୍ୱାଇନ୍‌ ଫ୍ଲୁରେ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ଗୋଟିଏ ଦିନରେ ୨୪ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୧୩ ଟି ପଜିଟିଭ୍ ବାହାରିଛି । ମୋଟ୍ ଉପରେ ଏଯାଏଁ ୨୩୦ ରକ୍ତ ନମୂନା ପରୀକ୍ଷା ହୋଇଥିବା ବେଳେ ୫୯ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେହିପରି କେବଳ ସୋମବାର ଦିନ ୧୨ଟି ରକ୍ତ ନମୁନା ପଜିଟିଭ୍ ବାହାରିଥିଲା ।

୨୦୦୯ ମସିହାରେ ଭାରତରେ ପ୍ରଥମ ଥର ପାଇଁ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୩୫ ଜଣଙ୍କ ଜୀବନ ଯାଇଥିଲା । ୨୦୦୯ ଓ ୨୦୧୦ରେ ଓଡିଶାରେ ମଧ୍ୟ ସ୍ୱାଇନ୍ ଫ୍ଲୁରେ ବହୁ ରୋଗୀ ମୃତ୍ୟୁ ବରଣ କରିଥିଲେ । ତେଣୁ ଚଳିତ ବର୍ଷ ସ୍ୱାଇନ୍ ଫ୍ଲୁର ପ୍ରଥମ ଖବର ଆସିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

ଏବେ ନଜର ପକାନ୍ତୁ କେମିତି ସ୍ୱାଇନ ଫ୍ଲୁକୁ ଚିହ୍ନଟ କରିହେବ । ଏନେଇ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟଣ ରହିଛି ।

• ଜ୍ୱର,କାଶ ଓ ଛିଙ୍କ ଲାଗି ରହିବା
• ନାକ ଜାମ୍ ହେବା
• ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା
• ମୁଣ୍ଡବିନ୍ଧା ଓ ଶରୀର ବିନ୍ଧା
• ସ୍ଥଳ ବିଶେଷରେ ବାନ୍ତି ଓ ରକ୍ତ ବାନ୍ତି ହେବା

୨୦୦୯ ମସିହା ଅପେକ୍ଷା ସ୍ଥିତି ବଦଳିଛି । ଏଣୁ ସ୍ୱାଇନ ଫ୍ଲୁ କୁ ଏଚ୍ ୧ ଏନ୍ ୧ ଭୂତାଣୁ ବଦଳରେ ସିଜନାଲ ଇନଫ୍ଲୁଏଞ୍ଜା କୁହାଯାଉଛି । ଏହା ସହ ଜିଲ୍ଲା ସ୍ତରରୁ ସ୍ୱାଇନ ଫ୍ଲୁ ଚିହ୍ନଟ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶିଶୁ,ବୃଦ୍ଧ ଓ ଗର୍ଭବତୀଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ପ୍ରାଥମିକ ସ୍ତରରୁ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇଲେ ସ୍ୱାଇନ୍ ଫ୍ଲୁ ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇ ପାରିବେ ।