ନଈକୂଳରେ ପାଣି ପାଇଁ ହାହାକାର । ଶୁଖିଲା ପଡିଛି ମହାନଦୀ

55

କନକ ବ୍ୟୁରୋ: ଖରା ଆରମ୍ଭରୁ ସୃଷ୍ଟି ହେଲାଣି ପାଣି ପାଇଁ ହାହାକାର ସ୍ଥିତି । ଏ ସ୍ଥିତି କେଉଁ ପାହାଡ଼ପର୍ବତ ଅଞ୍ଚଳର ନୁହେଁ, ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଓ ତା’ର ଶାଖା ନଦୀର କୂଳବର୍ତ୍ତି ଅଞ୍ଚଳରେ ସୃଷ୍ଟି ହୋଇଛି । ଖରା ଆରମ୍ଭରୁ ୨୦ଫୁଟ ତଳକୁ ଖସିଗଲାଣି ପାଣି । ଯେଉଁଠି ୫୦/୬୦ ଫୁଟ ଖୋଳି ପାଇପ ବସାଇଲେ ପାଣି ବାହାରୁ ଥିଲା ସେସବୁ ଅଂଚଳରେ ଏବେ ୭୦/୮୦ ଫୁଟ ଖୋଳିବାକୁ ପଡୁଛି । ଆଗକୁ ଆହୁରି ୨୦ ଫୁଟ୍ ତଳକୁ ପାଣି ଖସିବା ଆଶଙ୍କା କରାଯାଉଛି । ଗୋଟିଏ ପଟେ ମହାନଦୀ ଶୁଖିଲା ପଡିଥିବା ବେଳେ ଏପଟେ ଭୂତଳ ଜଳସ୍ତର ହ୍ରାସ ପାଇବା ଘଟଣା ଆଗକୁ ସଂଗୀନ ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ପାନୀୟ ଜଳ ସମସ୍ୟା ସଙ୍ଗୀନ ହେବାକୁ ବସିଥିବାବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଅନେକ ପ୍ରକଳ୍ପ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ ।

ନିଆଳି ଦ୍ୱୀପାଞ୍ଚଳର ସିଠାଳୋ ଶାସନପଦା, କରଞ୍ଜ ଭଳି ଗ୍ରାମରେ ଦୁଇ ଶହ ଫୁଟ ଖୋଳିବା ପରେ ଏବେ ବାହାରୁଛି ପାଣି । କେବଳ ନିଆଳି ନୁହେଁ ଜିଲ୍ଲାର ସମସ୍ତ ବ୍ଲକ୍ରେ ସ୍ଥିତି ଏଭଳି ସଙ୍ଗୀନ ହେବାରେ ଲାଗିଛି । ପାହାଡ଼ ଓ ମୁଣ୍ଡିଆ ଅଂଚଳରେ ମଧ୍ୟ ସ୍ଥିତି ସଙ୍ଗୀନ ହେବାକୁ ବସିଲାଣି । ମହାନଦୀ ଶୁଖିଯିବା ଫଳରେ କଟକ ଜିଲ୍ଲାର ଭୂତଳ ଜଳସ୍ତର ଏଭଳି ପ୍ରଭାବିତ ହେଉଛି । କଟକ ଜିଲ୍ଲାକୁ ଘେରି ରହିଛି ମହାନଦୀ ସହ କାଠଯୋଡି, ଲୁଣା, ଚିତ୍ରୋତ୍ପଳା, ବିରୂପା ଭଳି ନଦୀ । କିନ୍ତୁ ଏବେ ଛତିଶଗଡ଼ ପାଇଁ ମହାନଦୀ ଶୁଖିଲା ପଡିବା ଯୋଗୁଁ ଅଣମୌସୁମୀ ସମୟରେ ଯେତିକି ଜଳ ପ୍ରବାହିତ ହେବା କଥା ତାଠାରୁ ଢେର୍ ହ୍ରାସ ପାଇଛି ଜଳପ୍ରବାହ। ସରକାରୀ ତଥ୍ୟ ଅନୁସାରେ ଅଣମୌସୁମୀ ସମୟରେ ନଈରେ ୧୨ଶହରୁ ୧୪ଶହ କ୍ୟୁସେକ୍ ପାଣି ରହିବା କଥା । କିନ୍ତୁ ଆଜି ସୁଦ୍ଧା ୧୨୬୦ କ୍ୟୁସେକ୍ ପାଣି ମହାନଦୀ ବ୍ୟାରେଜ୍ରୁ ତଳକୁ ଆସୁଛି । ଏଥିସହ ୨୦ ପଏଣ୍ଟରେ ବଦଳରେ ଆଜି ୧୯.୮ରେ ପାଣି ଡ଼ିସ୍ଚାର୍ଜ ହେଉଥିବା ଜଣାପଡ଼ିଛି । ଆଗକୁ ପାଣି ଆହୁରି କମିବ ବୋଲି ଆଶଙ୍କା ବ୍ୟକ୍ତ କରିଛି ଜଳସଂପଦ ବିଭାଗ।

ମହାନଦୀର ଏଭଳି ସ୍ଥିତି ପାଇଁ ପ୍ରଭାବିତ ହୋଇଛି କଟକ ଜିଲ୍ଲାର ଭୂତଳ ଜଳସ୍ତର। ଜିଲ୍ଲାର ଆଠଗଡ଼ ଉପଖଣ୍ଡର ୪ଟି ବ୍ଲକ୍ ଅର୍ଥାତ୍ ଆଠଗଡ଼, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ବ୍ଲକରେ ବର୍ତ୍ତମାନ ସମୟରୁ ୨୦ରୁ ୨୫ଫୁଟ୍ ତଳକୁ ଖସିଗଲାଣି । ନରସିଂହପୁର ବ୍ଲକ୍ ଦେବଭୂମି ପଂଚାୟତ, ତିଗିରିଆର ବାନ୍ଧକଳାର ଗାଁ ନୂଆପାଟଣା ତଥା ବିଭିନ୍ନ ମୁଣ୍ଡିଆ ଓ ପାହାଡ଼ିଆ ଅଂଚଳରେ ସ୍ଥିତି ସଙ୍ଗୀନ ହେବାକୁ ବସିଲାଣି । ସେସବୁ ଅଂଚଳରେ ପାନୀୟ ଜଳ ସଙ୍କଟ ସହ ପୋଖରୀ, ଗାଡ଼ିଆ ସବୁ ଶୁଖିଯିବାକୁ ବସିଲାଣି । ଜିଲ୍ଲାର ବାଙ୍କୀ, ବାରଙ୍ଗ, କଣ୍ଟାପଡ଼ା, ଟାଙ୍ଗୀ, ସାଲେପୁର, ନିଆଳି ତଥା ସମସ୍ତ ବ୍ଲକ୍ରେ ଭୂତଳ ଜଳସ୍ତର କମିବାରେ ଲାଗିଛି । ସରକାର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ପାଇଁ ପୂର୍ବରୁ ଦୁଇ ଶହ ଫୁଟ ପର୍ଯ୍ୟନ୍ତ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ତ୍ତମାନ ଏହାକୁ ଅଧିକ ଅର୍ଥାତ୍ ଆବଶ୍ୟକସ୍ଥଳରେ ଅଢେଇଶହରୁ ତିନିଶହ ଫୁଟ ପର୍ଯ୍ୟନ୍ତ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

କଟକ ଜିଲ୍ଲାର ତିଗିରିଆ ଅଂଚଳରେ ଯେଉଁଠି ୫୦ ଫୁଟ ତଳେ ଭୂତଳ ଜଳ ବାହାରୁଥିଲା । ଏବେ ତାହା ୬୦ରୁ ୮୦ଫୁଟ ଗଭୀରକୁ ଗଲାଣି । ନିଜିଗଡ଼, ଅଚଂଳକୋଟ, ପୁରୁଣା ତିଗିରିଆ, ଜେମାଦେଇପୁର, ପାଞ୍ଚଗାଁ ପଞ୍ଚାୟତରେ ଜଳଧାରା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା ବେଳେ ଜଳ ସଂକଟ ପାଇଁ ଗତବର୍ଷ ପ୍ରଶାସନ ତରଫରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଇଥିଲା । ପ୍ରସିଦ୍ଧ ହସ୍ତତନ୍ତ ଗ୍ରାମପଞ୍ଚାୟତ ନୂଆପାଟଣା, ଜେମାଦେଇପୁରକୁ ପ୍ରତି ସମୟରେ ବିଦେଶୀ ପର୍ୟ୍ୟଟକଙ୍କ ଆଗମନ ଓ ୨୦୦୭ରେ ନିର୍ମଳ ପଞ୍ଚାୟତ ପୁରସ୍କାର ପାଇଥିବା ନିଜିଗଡ଼, ଅଚଳକୋଟ ପଞ୍ଚାୟତରେ ଜଳ ସଂକଟ ପାଇଁ ଗତବର୍ଷ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହୋଇଥିଲା । ତଥାପି ଏ ବର୍ଷ ପ୍ରଶାସନିକ ଅବହେଳା ପାଇଁ ଗୋପୀନାଥପୁର ଶାସନ, କରଡ଼ାପଲି, କଦଳିବାଡ଼ି ସବରସାହିରେ କେବଳ ପାଣି ପାଇଁ ଷ୍ଟାଣ୍ଡପୋଷ୍ଟ ଅଛି, ହେଲେ ଜଳଧାରା ପାଣି ପହଞ୍ଚିବା ବ୍ୟବସ୍ଥା ହୋଇପାରୁନି। କଟକ ଜିଲ୍ଲାରେ କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଉପଯୁକ୍ତ ରକ୍ଷାଣାବେକ୍ଷଣ ଓ ସମନ୍ଵୟ ଅଭାବରୁ ସେଗୁଡ଼ିକର ସୁଫଳ ପାଇପାରୁନାହାନ୍ତି ଅଂଚଳବାସୀ ।