ଅର୍ଥ ସାଜିଛି ପ୍ରତିବନ୍ଧକ, ଗୁହାରୀ ଶୁଣିବାକୁ କେହି ନାହିଁ ! କଟକର ପୂର୍ବତନ କର୍ପୋରେଟର ଏବେ ସେଲ୍ସମ୍ୟାନ

28

କନକ ବ୍ୟୁରୋ : ଅର୍ଥ ସାଜିଛି ପ୍ରତିବନ୍ଧକ, କର୍ପୋରେଟର ବିକୁଛନ୍ତି ଚପଲ । ଦିନେ ସେ ଥିଲେ କଟକ ମହାନଗର ନିଗମର କର୍ପୋରେଟର । ହେଲେ ପେଟପାଟଣା ପାଇଁ ଆଜି ସେଲ୍ସମ୍ୟାନ ଭାବେ ଚପଲ ଦୋକାନରେ କରୁଛନ୍ତି କାମ । ନାଁ ତାଙ୍କର ଅବଦୁଲ ମଲ୍ଲିକ । କଟକ ଓଡିଆ ବଜାରରେ ଘର । ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ପୋରେଟର ନିର୍ବାଚନ ଲଢିଥିଲେ । ଆଉ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କର୍ପୋରେଟର ଭାବେ ଦାୟିତ୍ୱ ତୁଲାଇଥିଲେ ଅବଦୁଲ ।

ଅଂଚଳବାସୀଙ୍କ ପାଇଁ ସବୁକିଛି ଉତ୍ସର୍ଗ କରି ବହୁ ପ୍ରଶଂସିତ ମଧ୍ୟ ହୋଇଥିଲେ । ଲୋକଙ୍କ ପାଇଁ କାମ କରିବା ନିଶା ଯୋଗୁ ନିଜ ହୋଟେଲ ଓ ଟ୍ୟାକ୍ସି ବ୍ୟବସାୟ ମଧ୍ୟ ବନ୍ଦ କରିବାକୁ ପଡିଥିଲା ତାଙ୍କୁ । ହେଲେ ସବୁଠାରୁ ବଡ କଥା ହେଉଛି ସମୟ ସୁଅରେ ସେ ଗରିବ ହୋଇଯାଇଥିଲେ ବି ଲୋକଙ୍କ ପାଇଁ କାମ କରିବାର ନିଶା ଏବେ ବି ରହିଛି ଅବଦୁଲଙ୍କର । ଏକ ଚପଲ ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ ମଧ୍ୟ ଦଦରା ଚାଳ ଘରେ ଚଳାଇଛନ୍ତି ଅଫିସ । ଆଉ ଲୋକଙ୍କ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ଚେଷ୍ଟା କରିବାରେ ପଛଘୁଂଚା ଦେଉନାହାନ୍ତି ଅବଦୁଲ ମଲ୍ଲିକ ।