ଅବ୍ୟବସ୍ଥା ଘେରରେ କଟକ ସହରର ପରିମଳ ବ୍ୟବସ୍ଥା : ପୂତିଗନ୍ଧମୟ ପରିବେଶରେ ହନ୍ତସନ୍ତ ହେଉଛନ୍ତି ଗୋରାକବର ନ୍ୟୁ କଲୋନୀବାସୀ

41

କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ କଟକ ସହରର ପରିମଳ ବ୍ୟବସ୍ଥା । ସୁଧାରିବା ଲାଗି ପ୍ରତିବର୍ଷ କାଗଜ କଲମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ବାସ୍ତବିକ ସ୍ଥିତି ଓଲଟା । ନା ସୁଧୁରୁଛି ସ୍ଥିତି ନା ହଟୁଛି ଲୋକଙ୍କ ଦୁର୍ଦ୍ଦଶା । ପୂତିଗନ୍ଧମୟ ପରିବେଷରେ ଘାଂଟି ହେଉଛନ୍ତି ସହରବାସୀ । ବିଶେଷକରି କଟକ ଗୋରାକବର ନ୍ୟୁ କଲୋନୀ ଅଂଚଳର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଏବେ ଅଂଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହି ସମସ୍ୟା ପାଇଁ ଲୋକଙ୍କ ମଧ୍ୟରେ ସଚେନତନତାର ଅଭାବ ବୋଲି କହି ନିଜ ଦୋଷ ଖସାଇଛନ୍ତି ସ୍ଥାନୀୟ କର୍ପୋରେଟର ।

ଘର ଆଗରେ କୁଢ କୁଢ ଆବର୍ଜନା । ଅସରାଏ ବର୍ଷା ହେଲେ ଘରେ ପଶୁଛି ନର୍ଦ୍ଦମା ପାଣି । ଘର ଆଗରେ ଥିବା ଡ୍ରେନ୍ ଠିକ ଭାବେ ସଫା ହେଉନାହିଁ । ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଷ ଭିତରେ ଜୀବନ ବିତାଉଛନ୍ତି ସହରବାସୀ । ଏପରି ଅବସ୍ଥା ହଇଜା ଜଣ୍ଡିସ ଭଳି ମାରାତ୍ମକ ରୋଗକୁ ଆପେ ଡାକୁଛି । ଆଉ ସହରର ମଧ୍ୟଭାଗରେ ଥିବା ଗୋରାକବର ନ୍ୟୁ କଲୋନୀ ଅଂଚଳର ଅବସ୍ଥା ନକହିବା ଭଲ । ଏହି ସାହିର ପରିମଳ ଯୋଜନା ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡିଛି ।

ତେବେ ଦୋଷ ଖସାଇଛନ୍ତ ସ୍ଥାନୀୟ କର୍ପୋରେଟର । କହିଛନ୍ତି ଲୋକେ ନିଜେ ସଚେତନ ହେଉ ନାହାଁନ୍ତି । ତଥାପି ଯଦି ଅଭିଯୋଗ ଆସିଛି, ତାହା ପ୍ରତି ନଜର ଦିଆଯିବ ।ଏହା ସହିତ ସଫେଇ କର୍ମଚାରୀଙ୍କ ଅଭାବକୁ ମଧ୍ୟ କାରଣ ଭାବେ ଦର୍ଶାଇଛନ୍ତି କର୍ପୋରେଟର । ଗୋଟିଏ ପଟେ ଅଂଚଳବାସୀଙ୍କ ସମସ୍ୟା ଅନ୍ୟପଟେ ସଫେଇ କର୍ମଚାରୀ ଅଭାବ ବୋଲି କହି କର୍ପୋରେଟର ହାତ ଟେକିଦେବା ବୋଧହୁଏ ପରୋକ୍ଷରେ ଏହା ହିଁ କହୁଛି କି ଅଂଚଳବାସୀଙ୍କୁ ଏବେ ଭଗବାନ ହିଁ ଭରସା ।