ମାତ୍ର ୬୫ ଟଙ୍କା ପାଇଁ ଚାଲିଗଲା ଡାକ୍ତରଙ୍କ ଜୀବନ ! ଅଟୋଭଡା ନଦେଇ ପାରିବାରୁ ହାର୍ଟ ଆଟାକରେ ମରିଗଲେ ଡାକ୍ତର

56

କନକ ବ୍ୟୁରୋ : ବିଳମ୍ବିତ ରାତିରେ ଅଚାନକ୍ ସ୍ୱାମୀ ଅନୁଭବ କରିଥିଲେ ଛାତି ଯନ୍ତ୍ରଣା । ଡାକ୍ତରଖାନାକୁ ଆଣିବା ପାଇଁ ଗାଡ଼ିମଟର ନଥିବାରୁ କଟକ ଷ୍ଟେସନ୍ ଅଂଚଳର ପ୍ରିପେଡ୍ କାଉଂଟରକୁ ଧାଇଁ ଆସିଥିଲେ ଡାକ୍ତର ହୃଷିକେଶ ଓଝାଙ୍କ ପତ୍ନୀ । ହେଲେ ବ୍ୟସ୍ତତା ଏବଂ ମାନସିକ ଚାପ ଭିତରେ ପର୍ସ ଆଣିବା ପାଇଁ ଭୁଲି ଯାଇଥିଲେ । ଆଉ ଟିକେଟ କଲା ବେଳକୁ ଜାଣିଲେ, ଆଗ ଭଡ଼ା ନଦେଲେ ଗାଡ଼ି ଗଡ଼ିବନି । ଯେତେ ନେହୁରା ହେଲେ ବି ଦାୟିତ୍ୱରେ ଥିବାରେ ଥିବା ଜିଆରପି କନଷ୍ଟେବଳ କିଛି ବି ଶୁଣିନଥିଲେ । ଆଉ ଏସବୁ ଭିତରେ ସ୍ୱାମୀଙ୍କୁ ଡାକ୍ତରଖାନା ଆଣିବାର ବେଶ ବିଳମ୍ବ ହୋଇସାରିଥିଲା । ଏବଂ ରାସ୍ତାରେ ଆଖି ବୁଜିଦେଲେ ହୃଷିକେଶ।

ଅଟୋ ଦେବା ପାଇଁ ନିଜେ ପିନ୍ଧିଥିବା ସୁନା ଚୁଡ଼ି ଦେଲା ପରେ ବି କନଷ୍ଟେବଲ ଜଣକ ନିଜ ଜିଦରେ ଅଟଳ ରହିଥିଲେ । ଶେଷରେ ପାଖରେ ଥିବା ଜଣେ ଅଟୋଚାଳକ ଟଙ୍କା ଦେବାରୁ ଅଟୋ ନେଇଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇସାରିଥିଲା । ସଂପୃକ୍ତ କନଷ୍ଟେବଲ ବିରୋଧରେ ଏବେ ଏତଲା ଦିଆଯାଇଛି । କଡ଼ାକାଡ଼ି ନିୟମ ପାଳନ କରିବାକୁ ଯାଇ କନଷ୍ଟେବଲ ଜଣକ ଭୁଲିଗଲେ ମଣିଷପଣିଆ । ଯେଉଁଥି ପାଇଁ ମାତ୍ର ୬୫ ଟଙ୍କା ଭଡ଼ା ପାଇଁ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ ।