ସାଇକୋ କିଲର ସନ୍ଦେହରେ ଜଣେ ସନ୍ଦିଗ୍ଧ ଅଟକ: କଟକ ଡିସିପି କହିଲେ, ଗଂଜାମରୁ ନାରାୟଣ ସାହୁଙ୍କୁ ଅଟକ ରଖି କରାଯାଉଛି ପଚରାଉଚରା

254

କନକ ବ୍ୟୁରୋ: ସାଇକୋକିଲର ଆତଙ୍କ ଭିତରେ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ । ସେ କହିଛନ୍ତି ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରାଯାଉଛି । ସନ୍ଦିଗ୍ଧର ଘର ଗଞ୍ଜାମ ଜିଲ୍ଳାରେ ଓ ତାର ନାଁ ନାରାୟଣ ସାହୁ । ତେବେ ସେହି ବ୍ୟକ୍ତି ସାଇକୋକିଲର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅଧିକ ତଦନ୍ତ ହେଲେ ସେହି ବ୍ୟକ୍ତି ସାଇକୋକିଲର କି ନାହିଁ ତାହା ସ୍ପଷ୍ଟ ହେବ । ୫ଟି ଟିମ୍ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଥିଲା ପୋଲିସ୍ ।

ସିଲଭର୍ ସିଟିରେ ତିନି ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଷ୍ଟୋନମ୍ୟାନକୁ ଗତ ୨୪ ତାରିଖରୁ ଖୋଜୁଛି ପୋଲିସ୍ । ଧରିବା ପାଇଁ ଦିନ ରାତି ପାଟ୍ରୋଲିଙ୍ଗ କରିବା ସହ ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଛି । ଏପରିକି ଫୋରେନସିକ୍ ମେଡିସିନ୍ ସ୍ପେଶାଲିଷ୍ଟଙ୍କ ସହ ଆଲୋଚନା କରିଛି । ଏବଂ ଏହି ହତ୍ୟାକାଣ୍ଡର ପାରିପାଶ୍ୱର୍କ ସ୍ଥିତିରୁ ଏହା ଜଣେ ମାନସିକ ବିକାରଗ୍ରସ୍ତର କାର୍ଯ୍ୟ ବୋଲି ବାରମ୍ବାର କହି ଆସୁଛନ୍ତି ପୋଲିସ୍ କମିଶନର ।

ସାଇକୋ କିଲର ଜଣକ କିଛି ଦିନ ତଳେ କଟକରେ ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା । ପ୍ରଥମେ ଗତ ୨୩ତାରିଖ ଦିନ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡ ନିକଟରେ ଥିବା ଏକ ଚାଦୋକାନ ନିକଟରୁ ଜଣଙ୍କ ମୃତ ଦେହ ମିଳିିଥିଲା । ଏହାର ୨୪ଘଂଟା ମଧ୍ୟରେ ସମାନ ଢ଼ଙ୍ଗରେ ଆଉ ଦୁଇ ଜଣ ନିରାଶ୍ରୟଙ୍କୁ ଓଏମପି ଓଭରବ୍ରିଜ୍ ତଳେ ଏବଂ ପାରଳା ମହାରାଜା ଉଦ୍ୟାନରେ ହତ୍ୟା କରାଯାଇଥିଲା । ୨୪ତାରିଖ ସକାଳୁ ମୃତଦେହ ଜବତ କରିଥିଲା ପୋଲିସ୍ । ଦୁଇ ଦିନରେ ତିନୋଟି ହତ୍ୟାକାଣ୍ଡ ଘଟିବାରୁ ଏହା ସାରା ରାଜ୍ୟରେ ତୀବ୍ର ଆଲୋଡନ ସୃଷ୍ଟି କରିଥିଲା ।

ସେପଟେ କଟକ ସହରରେ ଷ୍ଟୋନମ୍ୟାନ ଆତଙ୍କକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଯୋବ୍ରାରେ କେହି ଅଜଣା ଦୁବୃର୍ତ୍ତ ଜଣେ ମହିଳାଙ୍କ ବେକ କାଟି ଦେଇଛି । ତାଙ୍କ ନାମ ସନ୍ଧ୍ୟାରାଣୀ ବୋଲି ଜଣାପଡିଛି । ଗଲା ପାଂଚ ଦିନ ହେବ ସହରରେ ରହସ୍ୟମୟ ଷ୍ଟୋନମ୍ୟାନଙ୍କୁ ନେଇ ସହରବାସୀ ଆତଙ୍କିତ ଥିବାବେଳେ ଏହି ଘଟଣା ଭୟକୁ ବହୁଗୁଣିତ କରିଛି । ଗତକାଲି ରାତି ପ୍ରାୟ ୯ଟାବେଳେ ସନ୍ଧ୍ୟାରାଣୀ ଘର ଝରକା ପାଖରେ ବସିଥିଲେ । ସେହି ସମୟରେ ଜଣେ ଅଜଣା ଦୁବୃର୍ତ ଝରକା ଫାଙ୍କରେ ହାତ ପୂରାଇ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲା । ପରିବାର ଲୋକ ବାହାରକୁ ଆସି ଦେଖିବାବେଳକୁ ଦୁବୃର୍ତ ଫେରାର ହୋଇଯାଇଛି । ମାଲଗୋଦାମ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେହି ଚେନ ଲୁଟେରା ଏଭଳି କରିଥାଇ ପାରନ୍ତି ବୋଲି ସୂଚନା ଦେଇଛି ପୋଲିସ୍ ।