କଟକ ବୟାଳିଶ ମୌଜା ଗଣଧର୍ଷଣ ମାମଲା : ଧରାପଡିଲେ ୨ ଧର୍ଷଣକାରୀ

89

କଟକ ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜ ପ୍ରଭାବ । ଖବର ପ୍ରସାରଣର ଦିନକ ପରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ । କଟକ ବୟାଳିଶ ମୌଜା ଲୁଟ ଓ ଗଣଧର୍ଷଣ ମାମଲାରେ କମିଶନରେଟ ପୋଲିସ ଗୋଟିଏ ପାହାଚ ଆଗେଇଛି । ଘଟଣାର ଦୀର୍ଘ ୮ ଦିନ ପରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । ସେମାନେ ହେଲେ ରତ୍ନାକର ଦାସ ଓ ଗଦାଧର ଦାସ । ଏହି ଦୁଇଜଣ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ନୂଆପଡା ଗାଁ ବାସିନ୍ଦା ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିସିପି । ଗଦାଧରଙ୍କ ନାଁରେ ଧାମନଗର ଅଂଚଳରେ ଏକାଧିକ ମାମଲା ଥିବା ପୋଲିସ ଜାଣିପାରିଛି । ଏହି ଲୁଟ ଓ ଗଣଦୁଷ୍କର୍ମ ଘଟଣାରେ ଆଉ ୨ରୁ ୩ ଜଣ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ଏବଂ ଏହି ଅଭିଯୁକ୍ତଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ ବୋଲି କହିଛନ୍ତି କଟକ ଡିସିପି ସଂଜୀବ ଅରୋରା ।

କଟକ ବୟାଳିଶ ମୌଜା ଝିଙ୍କିରିଆରେ ଲୁଟ ପରେ ମହିଳାଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଘଟଣା ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଗତ ୨୬ ତାରିଖ ରାତିରେ ୪ ଜଣ ଦୁର୍ବୃତ ଘରେ ପଶି ଲୁଟ୍ କରିବା ପରେ ନଦୀ ପଠାକୁ ନେଇ ମହିଳାଙ୍କୁ ଗଣଧର୍ଷଣ କରିଥିଲେ। ୫ ବର୍ଷର ଝିଅ ବେକରେ ଛୁରୀ ଲଗାଇ ଦୁର୍ବୃତ ମହିଳାଙ୍କୁ ଗଣଧର୍ଷଣ କରିଥିଲେ । ଏପରିକି ପାଟି କଲେ ମାରିଦେବାକୁ ଧମକ ଦେଇଥିଲେ ଦୃର୍ବତ । ପୀଡିତାଙ୍କ ବୟାନ ପରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ନିଜେ ଡିସିପି ଘଟଣା ସ୍ଥଳକୁ ପୀଡିତାଙ୍କୁ ନେଇ ଛାନଭିନ କରିଥିଲେ । ନଦୀ ପଠାରୁ କିଛି ସୁରାଗ ବି ମିଳିଥିଲା । କିନ୍ତୁ ଘଟଣାକୁ ୮ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନଥିଲା ପୁଲିସ୍ । ଗତକାଲି ଦିନ ତମାମ ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଅସନ୍ତୋଷ ପ୍ରକାଶ କରିଥିଲେ ସ୍ଥାନୀୟ ବାସିନ୍ଦା । ଫଳରେ ପୋଲିସ ଉପରେ ଚାପ ପଡିଥିଲା। କମିଶନରେଟ ପୋଲିସ ପକ୍ଷରୁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍ ୨ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି।