କଟକ : ୨୫ ଲକ୍ଷ ଟଙ୍କା ସାଇବର ଠକେଇର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ

10

କନକ ବ୍ୟୁରୋ : କଟକରେ ୨୫ ଲକ୍ଷ ଟଙ୍କା ସାଇବର ଠକେଇର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମର୍କତନଗର ପୋଲିସ । ୩ ଜଣ ଅଭିଯୁକ୍ତଙ୍କୁ କୋଲକାତାରୁ ଗିରଫ କରାଯାଇଥିବା ବେଳେ ସାଲେପୁରରୁ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୯୫ ହଜାର ଟଙ୍କା, ସୁନାଚେନ୍ ଓ ବାଇକ୍ ଜବତ କରିଛି ପୋଲିସ ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ବିଏସଏନଏଲ କର୍ମଚାରୀ ଥିବା ମଧ୍ୟ ସୂଚନା ମିଳିଛି । ମର୍କତ ନଗର ଅଂଚଳର ଶାଲିନି ଦାସଙ୍କ ଜମାଖାତାରେ ୨୫ଲକ୍ଷ ଟଙ୍କା ଥିଲା । ଏଥିରେ ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ଥିବାରୁ ସାଇବର ଠକ ରାକେଟ ବ୍ୟାଙ୍କରେ ରେଜିଷ୍ଟର ହୋଇଥିବା ମୋବାଇଲ୍ ନମ୍ବରକୁ ଜାଲ୍ କାଗଜପତ୍ର ଦେଇ ବିଏସ୍ଏନଏଲ ଅଫିସରୁ ଇସ୍ୟୁ କରାଇ ନେଇଥିଲେ ।

ଆଉ ଭିନ୍ନ ଭିନ୍ନ ଫେକ୍ ଆକାଉଂଟକୁ ୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଇ ନେଇଥିଲେ । ନଭେମ୍ବର୨୭ ଓ ୨୮ ଦୁଇ ଦିନ ମଧ୍ୟରେ ଏହି ଟଙ୍କା ଟ୍ରାନ୍ସଫର ହୋଇଥିଲା । ଟଙ୍କା ଗାୟବ ନେଇ ଡିସେମ୍ବର ୧୮ରେ ଜାଣିବା ପରେ ସାଲିନୀ ଦାସ ଏନେଇ ମର୍କତ ନଗର ଥାନାରେ ମାମଲା ରୁଜୁ କରିଥିଲେ । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୋଲିସ ।