ମହାନଦୀ ବ୍ରିଜରେ ମୃତ୍ୟୁର ମୁହୂର୍ତ୍ତ । ବର୍ତ୍ତିଯାଇଥିବା ଯାତ୍ରୀ କହିଲେ ଲୋମଟାଙ୍କୁରା ସତ ।

୯୦ରୁ ୧୦୦ ବେଗରେ ଯାଉଥିଲା ବସ

2,672

କନକ ବ୍ୟୁରୋ:  ଏସି ସ୍ଲିପର ବସରେ ବେଶ ଆରାମରେ ଆସୁଥିଲେ ଯାତ୍ରୀ। ଆଉ ମାତ୍ର କେତେ ମିନିଟ ଭିତରେ କଟକରେ ଓହ୍ଲାଇଥାନ୍ତେ ପ୍ରାୟ ଅଧା ଯାତ୍ରୀ। କିନ୍ତୁ ସବୁ ଓଲଟପାଲଟ ହେଇଗଲା। ମହାନଦୀ ପୋଲ ମଝିରେ ହାବୁଡି ଗଲା ମଇଁଷି। ଅପେକ୍ଷାକୃତ ଦ୍ରୁତ ଗତିରେ ଆସୁଥିବା ବସଟି ମଇଁଷିକୁ ଧକ୍କା ଦେଇ ନିୟନ୍ତ୍ରଣ ହରାଇ ଖସି ପଡିଲା ତଳକୁ। ମଇଁଷି ତ ମଲା, ହେଲେ ସାଥିରେ ବି ନେଇଗଲା ୧୦ ଅମୂଲ୍ୟ ଜୀବନ । ତେବେ ଏହି ଦୁର୍ଘଟଣାରୁ  କେତେଜଣ ଭାଗ୍ୟବାନ ଅଳ୍ପକେ ବର୍ତିଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରର ଅଂଶୁମାନ ଦାସ୍  । କନକ ନ୍ୟୁଜରେ କହିଛନ୍ତି ସେହ କାଳ ସନ୍ଧ୍ୟାର ଅଙ୍ଗେନିଭା କାହାଣୀ ।

ଅଂଶୁମାନ କହିଛନ୍ତି କି, ଦୁର୍ଘଟଣା ହେବା ସମୟରେ ପ୍ରଥମେ କିଛି ବୁଝି ପାରିନଥିଲେ, ଆଉ କଣ ହେଲା । ତାପରେ ବୁଝିଲା ବେଳକୁ ବସ୍ ଯାଇଥିଲା ପୋଲ ତଳେ । ଆଉ ଆଖି ଖୋଲିଲା ବେଳକୁ ପାଖରେ ବସିଥିବା ଯାତ୍ରୀଙ୍କ ମୁଣ୍ଡରୁ ଝରୁଥିଲା ରକ୍ତ । ସେହି ରକ୍ତରେ ସେ ଝୁଡୁବୁଡୁ ହୋଇଯାଇଥିଲେ । ତେବେ ସେ ଭଗବାନଙ୍କ ଆର୍ଶୀବାଦରୁ ଅଳ୍ପ ଆଘାତ ପ୍ରାପ୍ତ ହୋଇଥିଲେ । ତେଣୁ ସେ ନିଜେ ବସରୁ ବାହାରିବା ସହ ଅନ୍ୟମାନଙ୍କ ସହାୟତାରେ ୨ରୁ ୪ଜଣଙ୍କୁ ମଧ୍ୟ ବସରୁ ପଦାକୁ ବାହାର କରିଥିଲେ । ତେବେ ଦୁର୍ଘଟଣା ସମୟରେ ବସଟି ୯୦ରୁ ୧୦୦କିଲୋମିଟର ବେଗରେ ଚାଲୁଥିଲା ବୋଲି ସେ କହିଛନ୍ତି ।

ସେହିପରି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସମୟରେ ସେ ସେହି ସମୟରେ କଟକରୁ ଜଗତପୁର ଆଡକୁ ଯାଉଥିଲେ। ବସଟି ପ୍ରଥମେ ମଇଁଷିକୁ ଧକ୍କା ଦେଇ ଡାହାଣ ପଟକୁ ମାଡିଗଲା। ଟାୟାର ଫାଟିଗଲା। ବାଡ ଭାଙ୍ଗି ନଦୀ ଭିତରକୁ ବସଟି କିଛି ସମୟ ଝୁଲି ରହିବା ପରେ ତଳକୁ ଖସି ପଡିଲା। ସେ ତୁରନ୍ତ ଏ ସଂପର୍କରେ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଲେ।

BUS accident

ଦୁର୍ଘଟଣା ଘଟିବାର ମାତ୍ର ୧୦ ମିନିଟ ଭିତରେ ଖବର ପାଇ ଉଦ୍ଧାର କାର‌୍ୟ୍ୟ ପାଇଁ ତୟାର ହେଇଯାଇଥିଲେ କିଛି ଯୁବକ। ସେମାନେ ପାଣିରେ ପହଁରି ପହଞ୍ଚି ଯାଇଥିଲେ ବସ୍ ପାଖରେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେତେବେଳେ ବସ ଭିତରୁ କେବଳ ଚିତ୍କାର ଶୁଭୁଥିଲା। ସଂପୂର୍ଣ୍ଣ ଅନ୍ଧାର ଥିବାରୁ ଠିକରେ କିଛି ଜଣା ପଡୁ ନଥିଲା। ଓଡ୍ରାଫ ଟିମ ପହଞ୍ଚିବା ପରେ ତାଙ୍କ ସହ ମିଶି ଆହତଙ୍କୁ କାନ୍ଧରେ ବୁହାଇ କୂଳକୁ ଆଣିଥିଲେ।