ନଭେମ୍ବର ୪ରୁ ବାଲିଯାତ୍ରା ! ଉଠିବ ପଡିବ କଟକ ସହର

100

କନକ ବ୍ୟୁରୋ : ନଭେମ୍ବର ୪ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଚଳିତବର୍ଷ ନଭେମ୍ବର ୪ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଚାଲିବ ବାଲିଯାତ୍ରା । କଟକ ବାଲିଯାତ୍ରା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ଉଭୟ ତଳପଡିଆ ଓ ଉପର ପଡିଆରେ ଆୟୋଜନ ହେବ ବାଲିଯାତ୍ରା । ତଳପଡିଆରେ ୩୭ ଓ ଉପର ପଡିଆରେ ୧୦ ଏକର ଜାଗାରେ ବାଲିଯାତ୍ରାର ଆୟୋଜନ ହେବ ।

bali yatra 2ଆଜି ପଡିଆ ପରିଦର୍ଶନ ପରେ କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ବାଲିଯାତ୍ରା ଆୟୋଜନ ନେଇ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଅଧିକାରୀମାନେ ବାଲିଯାତ୍ରା ପଡିଆ ବୁଲି ଦେଖିଥିଲେ । ଚଳିତବର୍ଷ ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ପୁର୍ବରୁ ମହାନଦୀ ପଠାରେ ବାଲିଯାତ୍ରା ବନ୍ଦ କରିବାକୁ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ବାଲିଯାତ୍ରା ଫଳରେ ନଦୀ ପ୍ରଦୂଷଣ ହେଉଥିବାରୁ ବନ୍ଦ କରିବାକୁ କହିଥିଲେ ଗ୍ରୀନ ଟ୍ରିବ୍ୟୁନାଲ । କିନ୍ତୁ ଏହି ଯାତ୍ରା ଓଡିଶାର କଳା ଓ ସଂସ୍କୃତିର ପ୍ରତୀକ ହୋଇଥିବାରୁ ପୁନଶ୍ଚ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ଟ୍ରିବ୍ୟୁନାଲ । କିନ୍ତୁ ଯାତ୍ରା ପାଇଁ ଯେପରି ନଦୀ ପ୍ରଦୂଷଣ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଚଳିତଥର ବାଲିଯାତ୍ରାରେ ଷ୍ଟଲ ପକାଉଥିବା ପୁରୁଣା ବେପାରୀଙ୍କୁ ପ୍ରଥମେ ସୁଯୋଗ ଦିଆଯିବ । ପୁରୁଣା ବେପାରୀଙ୍କୁ ଷ୍ଟଲ ବିତରଣ ସରିବା ପରେ ନୂଆ ବେପାରୀଙ୍କୁ ଷ୍ଟଲ ଦିଆଯିବ । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଷ୍ଟଲର ଦାମରେ ବୃଦ୍ଧି ଘଟିଛି । ଚଳିତବର୍ଷ ଷ୍ଟଲର ମୂଲ୍ୟ ବର୍ଗଫୁଟ ହିସାବରେ ୨୨ ଟଙ୍କାରୁ ୨୪ ଟଙ୍କାକୁ ବୃଦ୍ଧି ପାଇଛି ।