ପୁଣି ତେଜିଲା ବାଲିଯାତ୍ରା ବିବାଦ : ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବ୍ୟବସାୟୀ ସଂଘର ବିରୋଧ

କହିଲେ ଗୋଟିଏ ପ୍ଲଟ ଦେଲେ ଦେବୁନି ଦୋକାନ

102

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ମହାନଦୀ ପଠାରେ ହେବାକୁ ଯାଉଥିବା ବାଲିଯାତ୍ରାକୁ ନେଇ ପୁଣି ବିବାଦ ଉପୁଜିଛି । ମେଳା ଆଉ ୬ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ୪ ହଜାର ବର୍ଗଫୁଟ ଜମି ପାଇଁ ଆବଂଟନ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଆଜି ହଠାତ୍ ୧ରୁ ଏକାଧିକ ପ୍ଲଟ ଦିଆଯାଇ ପାରିବ ନାହିଁ ପ୍ରଶାସନ କହିବା ପରେ ଏହି ବିବାଦ ନୂଆ ରୂପ ନେଇଛି ।

ପୂର୍ବ ନିଷ୍ପତିକୁ ହଠାତ୍ ପ୍ରଶାସନ ପକ୍ଷରୁ ପରିବର୍ତନ କରାଯାଇ ନୂଆ ନିୟମ ଲାଗୁ କରାଯାଇଛି । ନିୟମ ଅନୁସାରେ, ଭେଣ୍ଡରଙ୍କୁ ଆରମ୍ଭରୁ ପ୍ଲଟ ବଂଚନ କରାଯାଇଥିବା ବେଳେ ଆଜି ହଠାତ୍ ଏକାଧିକ ପ୍ଲଟ ଦିଆଯିବ ନାହିଁ ବୋଲି ପ୍ରଶାସନ କହିବା ପରେ ବିବାଦ ଉପୁଜିଛି । ସେପଟେ ସିଙ୍ଗିଲ ୱିଣ୍ଡୋର ବ୍ୟବସ୍ଥା ଥିଲେ ସୁଦ୍ଧା ପୁଲିସ ବ୍ୟବସାୟୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୩ରେ ହେବାକୁ ଥିବା ବାଲିଯାତ୍ରା ପାଇଁ ଗତ ୫ତାରିଖରୁ ପ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି ପ୍ରଶାସନ ସମୟ ଧାର‌୍ୟ୍ୟ କରିଥିଲା। ହେଲେ ଗତଥର ଅପେକ୍ଷା ଏଥର ପ୍ଲଟ୍ ଫି’ ବୃଦ୍ଧି କରାଯିବାରୁ ବାଲିଯାତ୍ରା ବ୍ୟବସାୟୀ ସଂଘ ଏହାକୁ ବିରୋଧ କରି ଧାରଣା ଦେଇଥିଲା। ଏହାପରେ ଏକାଧିକବାର ପ୍ରଶାସନ ସହ ସଂଘର ଆଲୋଚନା ପରେ ପୁରୁଣା ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ୍ ପିଛା ୩୩ଟଙ୍କା ଏବଂ ନୂଆ ବ୍ୟବସାୟୀଙ୍କ ୪୩ଟଙ୍କା ଧାର‌୍ୟ୍ୟ କରାଯିବା ପରେ କିଛି ଦିନ ତଳେ ବିବାଦ ତୁଟି ଥିଲା। ଏପରିକି ଗଡ଼ଗଡ଼େଶ୍ବର ମନ୍ଦିର ପ୍ରାଙ୍ଗଣରେ ତହସିଲ୍ ପକ୍ଷରୁ ହୋଇଥିବା ଅସ୍ଥାୟୀ କ୍ୟାମ୍ପ୍ରେ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୮୪ଜଣ ବ୍ୟବସାୟୀ ପ୍ଲଟ୍ ପାଇଁ ପାଉତି କାଟିଥିବା ଜଣାପଡ଼ିଥିଲା ହେଲେ ଆଜି ହଠାତ୍ ୧ରୁ ଏକାଧିକ ପ୍ଲଟ ଦିଆଯାଇ ପାରିବ ନାହିଁ ପ୍ରଶାସନ କହିବା ପରେ ଏହି ବିବାଦ ନୂଆ ରୂପ ନେଇଛି ।