ସରିଲା ବାଲିଯାତ୍ରା ! ଶେଷ ଦିନରେ ଅସମ୍ଭାଳ ଭିଡ଼, ବେପାର ଟପିଲା ଶହେ କୋଟି

30

କନକ ବ୍ୟୁରୋ: ଗଲା ୮ ଦିନ ଧରି ଚାଲିଥିବା କଟକର ଐତିହାସିକ ବାଲିଯାତ୍ରା ଗତକାଲି ଶେଷ ହୋଇଛି । ଗଲା ଶନିବାର, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଗତକାଲି ଶେଷ ହେବାର ଥିଲେ ବି ତାହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । କିନ୍ତୁ ଗତକାଲି ଶେଷ ଦିନରେ ଭିଡ଼ ପୂର୍ବ ସବୁ ଦିନର ରେକର୍ଡ ଭାଙ୍ଗି ଦେଇଛି । ବାଲିଯାତ୍ରା ପଡ଼ିଆ ଆଡକୁ ଯାଉଥିବା ରାସ୍ତା ବକ୍ସିବଜାର, ରାଣୀହାଟ, ମହାନଦୀ ରିଙ୍ଗ ବନ୍ଧ ପଟେ ଘଣ୍ଟା ଘଣ୍ଟା ଧରି ରାସ୍ତା ସଂପୂର୍ଣ୍ଣ ଜାମ୍ ହୋଇ ରହିବା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।

ଗତବର୍ଷ ବିମୁଦ୍ରାକରଣ ଯୋଗୁଁ ବାଲିଯାତ୍ରାରେ ବ୍ୟବସାୟ ଅପେକ୍ଷାକୃତ ମାନ୍ଦା ଧରିଥିବା ବେଳେ ଚଳିତ ବର୍ଷ କିନ୍ତୁ ବ୍ୟବସାୟ ବି ରେକର୍ଡ ସୃଷ୍ଟି କରିଛି । ବାଲିଯାତ୍ରା ପଡ଼ିଆରେ ସବୁଠୁ ଆକର୍ଷଣ ସୃଷ୍ଟି କରୁଥିବା ଓରମାସ୍ର ପଲ୍ଲୀଶ୍ରୀ ମେଳା ଷ୍ଟଲରେ ପ୍ରତ୍ୟେକ ଦିନ ହାରାହାରି ୨ କୋଟିରୁ ଅଧିକ ବେପାର ହୋଇଥିବା ସୂଚନା ମିଳିଛି । ସେହିଭଳି ଭିନ୍ନକ୍ଷମ ଷ୍ଟଲ୍, କିନ୍ନରଙ୍କ ଷ୍ଟଲରେ ମଧ୍ୟ ପ୍ରତ୍ୟେକ ଦିନ ୨ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଛି । ଉପର ବାଲିଯାତ୍ରା ପଡ଼ିଆରେ ପଡ଼ିଥିବା ବିଭିନ୍ନ ଘରକରଣା ସାମଗ୍ରୀ ଦୋକାନରେ ବି ଖୁବ୍ ଭିଡ ଜମିଛି । ପଡ଼ିଆରେ ପଡ଼ି ଥିବା ରେଞ୍ଜର ତଥା ଅନ୍ୟ ଦୋଳି ଏବଂ ଫୁଡ୍ ଷ୍ଟଲରେ ବି ଚଳିତ ବର୍ଷ ରେକର୍ଡ ଭିଡ ହୋଇଛି ।

ତହସିଲ୍ ରେକର୍ଡ ଅନୁଯାୟୀ, ଚଳିତ ବର୍ଷ ୯ଶହରୁ ଅଧିକ ଷ୍ଟଲ୍ ବିଭିନ୍ନ ସଂସ୍ଥା ଓ ବ୍ୟବସାୟୀଙ୍କୁ ଦିଆଯାଇଛି । କିନ୍ତୁ ବାଲିଯାତ୍ରା ପଡିଆରେ ଉଠା ଦୋକାନୀଙ୍କୁ ମିଶାଇଲେ ବ୍ୟବସାୟୀଙ୍କ ସଂଖ୍ୟା ୩ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ହାରାହାରି ହିସାବ ବିଚାରକୁ ନେଲେ ୮ ଦିନରେ ମୋଟ ବେପାର ଶହେ କୋଟିରୁ ଅଧିକ ହେବ ବୋଲି ବ୍ୟବସାୟୀ ସଂଘର କର୍ମକର୍ତ୍ତା ମତ ଦେଇଛନ୍ତି ।