ସରିଲା ୧୦ଦିନର ଐତିହାସିକ କଟକ ବାଲିଯାତ୍ରା । ଚଳିତ ଥର ରେକର୍ଡ ବେପାର ହୋଇଥିବା ମିଳିଲା ସୂଚନା

ଐତିହାସିକ କଟକ ବାଲିଯାତ୍ରା ଶେଷ ହୋଇଛି

138

କନକ ବ୍ୟୁରୋ : ଗଲା ଦଶ ଦିନ ଧରି ମହାନଦୀର ଗଡ଼ଗଡ଼ିଆ ଘାଟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗତକାଲି ଶେଷ ହୋଇଛି। ଶେଷ ଦିନ ରବିବାର ପଡ଼ିଥିବାରୁ ଲୋକ ଭିଡ଼ ସବୁ ରେକର୍ଡ ଟପି ଯାଇଛି। ଦିନ ଗୋଟାଏ ବେଳକୁ ଭିଡ଼ ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ବାଲିଯାତ୍ରା ପଡ଼ିଆ ମୁହାଁ ହୋଇଥିଲେ। ୪ଟା ବେଳକୁ ଉଭୟ ମହାନଦୀ ଓ କାଠଯୋଡ଼ି ରିଂ-ବନ୍ଧ ଜାମ୍ ହୋଇ ଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିବା ବେଳେ ଅନ୍ୟପଟେ ମେଳା ପଡ଼ିଆରେ ବେପାରୀ ବି ମାଲାମାଲ ହେଇଛନ୍ତି। ଖାସ୍ କରି ଓରମାସ୍ ଷ୍ଟଲରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।

 

ଲୋକେ ବର୍ଷକ ପାଇଁ ଘରକରଣା ସାମଗ୍ରୀ କିଣିବା ସହ ଖାନାପିନା, ଦୋଳି ଖେଳରେ ବାଲିଯାତ୍ରାକୁ ମନ ଭରି ଉପଭୋଗ କରିଛନ୍ତି। ଦଶ ଦିନର ବାଲିଯାତ୍ରାରେ ପ୍ରାୟ ୧୦୦କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଆକଳନ କରାଯାଉଛି। ତେବେ ପ୍ରତ୍ୟେକ ଥର ବାଲିଯାତ୍ରା ୮ ଦିନ ହେଉଥିବା ସମୟରେ ଚଳିତ ବର୍ଷ ୧୦ ଦିନ ପାଇଁ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା । ୨ ଦିନ ଅଧିକ ହେଉଥିବାରୁ ଲୋକମାନଙ୍କର ମଧ୍ୟ ପ୍ରବଳ ସମାଗମ ହୋଇଥିବା ଜଣାପଡିଛି । କେବଳ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ କଟକକୁ ଆସି ବାଲିଯାତ୍ରାର ମଜା ଉଠାଇଛନ୍ତି । ପ୍ରବଳ ଲୋକଙ୍କ ସମାଗମ ହୋଇଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା ବେଳେ କିପରି ଭାବରେ ସହରର ଟ୍ରାଫିକ ସମସ୍ୟାରେ କୌଣସି ଅସୁବିଧା ହେବ ନାହିଁ ସେଥି ପାଇଁ ପୋଲିସ ମଧ୍ୟ ତତ୍ପର ଦେଖାଇଥିଲା ।