କଟକ ଟୋକାଙ୍କ ଅଭିନବ ପ୍ରୟାସ । ବାଲିଯାତ୍ରାରେ ମିଳୁଛି କଟକ ବୋଲିବାଣୀର ଟି-ସାର୍ଟ

ଯୁବଗୋଷ୍ଠୀଙ୍କ ଚାହିଦା ଆକାଶଛୁଆଁ

312

କନକ ବ୍ୟୁରୋ: କଟକ ବାଲିଯାତ୍ରାରେ ମିଳୁଛି ଭିନ୍ନ ଧରଣର ଟି-ସାର୍ଟ । ଯେଉଁଥିରେ କଟକକୁ ନେଇ ଲେଖା ହୋଇଛି ଅନେକ ଢଗ ଏବଂ ଡାଏଲଗ୍ । ନୋକାଲ ଟୋକା, ଖାଂଟି କଟକିଆ, ବିଙ୍ଗ କଟକିଆ, ଆଇ ଲଭ୍ କଟକ ପରି ରହିଛି ଅନେକ ପ୍ରକାରର ଡାଏଲଗ୍ । ସିଲଭର ସିଟି କଟକ ନାମକ ଏକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର କିଛି ଯୁବଗୋଷ୍ଠୀ ଏହି ଟି-ସାର୍ଟ ତିଆରି କରିି ବାଲିଯାତ୍ରାରେ ବିକ୍ରି କରୁଛନ୍ତି ।

କଟକକୁ ନେଇ କଟକ ଟୋକାଙ୍କ ଅଭିନବ ପ୍ରୟାସ । ଟି-ସାର୍ଟରେ କଟକି ଡାଏଲଗ । ବାଲିଯାତ୍ରା ତଳ ପଡିଆ ପି-୧୬ ନମ୍ବର ଷ୍ଟଲରେ ବିକ୍ରି ହେଉଛି କଟକି ଢଗ ଏବଂ ଡାଏଲଗ୍ ଲେଖାଥିବା ଟି-ସାର୍ଟ । ନୋକାଲ ଟୋକା, ଖାଂଟି କଟକିଆ, ବିଙ୍ଗ କଟକିଆ, ଆଇ ଲଭ୍ କଟକ । ଏହାସହ କଳା, ଧଳା ଏବଂ ବ୍ଲୁ ରଙ୍ଗର ଟି-ସାର୍ଟରେ ଲେଖା ହୋଇଛି ଶହେ ଶହେରେ ଖେଳ, କୁଳାଙ୍ଗାର, ସବୁ ମାୟାରେ ବାୟା, ଏବଂ କୋଉ ଘର ଛୁଆ କଣ ହେଉଛୁ ଭଳି ଲୋକାଲ ଡାଏଲଗ୍ ।

ଓଡି-ଟିଜ ନାମକ ବ୍ରାଣ୍ଡ ଦ୍ୱାରା ଏହି ଟି-ସାର୍ଟର ଡିଜାଇନ ମୋବାଇଲ ଆପ୍ସରେ କରାଯାଏ । ପରେ ଚେନ୍ନାଇରେ ଏହି ଟି-ସାର୍ଟ ତିଆରି ହେଉଛି । ବାଲିଯାତ୍ରାର ଅଷ୍ଟମ ଦିନ ସୁଦ୍ଧା ୬୫୦ଟି ଟି-ସାର୍ଟ ବିକ୍ରି ହୋଇଛି । ଟି-ସାର୍ଟ ଗୁଡିକୁ ବାହାରେ ୩୪୯ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ବାଲିଯାତ୍ରାରେ ୨୯୯ ଟଙ୍କାରେ ବିକ୍ରି କରାଯାଉଛି । ଟି-ସାର୍ଟ ବ୍ୟବସାୟରୁ ଆୟ ହେଉଥିବା ୨୦ ପ୍ରତିଶତ ଅର୍ଥକୁ ସିଲଭର ସିଟି ଚାରିଟେବୁଲ ଟ୍ରଷ୍ଟ ଜରିଆରେ ସମାଜ ସେବାରେ ଖର୍ଚ କରୁଛନ୍ତି ଟ୍ରଷ୍ଟି ଅଭିଜିତ୍ ପୃଷ୍ଟି । ୧୨ ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଟ୍ରଷ୍ଟରେ ୫୫ ଜଣ ସଦସ୍ୟ ଅଛନ୍ତି ।

ସେହିପରି ସିଲଭର ସିଟି କଟକ ଫେସବୁକ ଗ୍ରୁପରେ ୭୮,୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି । ତେବେ କଟକି ଢଗ ଢମାଳି ଲେଖା ହୋଇଥିବା ଟି-ସାର୍ଟକୁ ପିନ୍ଧି ଏହାର ପ୍ରମୋସନ କରିଛନ୍ତି ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଏବଂ ସିଙ୍ଗର ହ୍ୟୁମାନ ସାଗର ।