କଟକ : ଜମୁଛି ବାଲଯାତ୍ରା, ସଂଧ୍ୟା ହେଲେ ଝଲସୁଛି ମହାନଦୀ ପଠା

16

କନକ ବ୍ୟୁରୋ : ମହାନଦୀ ପଠାରେ ଜମୁଛି ଐତିହାସିକ ବାଲଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆହୁରି ଦୁଇ ଦିନ ଜମିବ । ଦିନ ବଢିବା ସହ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢୁଛି । ସଂଧ୍ୟା ହେଲେ ଝଲସୁଛି ମହାନଦୀ ପଠା । ସଂଧ୍ୟାରେ କିଣାକିଣି କରିବା ସହ ଦୋଳି ଖେଳର ମଜା ଉଠାଉଛନ୍ତି ସମସ୍ତ । କେହି କେହି ରାମଦୋଳିରେ ବସୁଛନ୍ତି ଆଉ କିଏ ବ୍ରେକ ଡ୍ୟାନ୍ସର ମଜା ନେଉଛନ୍ତି । ମୁଖ୍ୟତଃ ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ସହ ଆସି, ମହାନଦୀ ବାଲି ମେଲିଥିବା ବ୍ୟବସାୟୀକ ପେଣ୍ଠସ୍ଥଳୀରେ ଟିକେ ବୁଲାବୁଲି କରି କିଛି କିଣାକିଣି କରିବା ପରେ ଚଟପଟି ଖାଇବାର ମଜା ଆଉ ଟିକିଏ ନିଆରା ।

ଗତବର୍ଷ ବାଲିଯାତ୍ରାକୁ ବିମୁଦ୍ରାକରଣ କବଜା କରିଥିବା ବେଳେ ଚଳିତ ବର୍ଷ ବାଲିଯାତ୍ରାରେ ଜିଏସଟି ମାଡ । ଜିଏସଟି ପ୍ରଭାବରେ ବିଭିନ୍ନ ପ୍ରକାର ଉପକରଣ ଓ ସୌଖିନ ଜିନଷର ମୂଲ୍ୟ ଅଧିକ ରହିଛି । ଯେଉଁ ଗ୍ରାହକ ମାନେ ଜିଏସଟି ବାବଦରେ ଅବଗତ ଅଛନ୍ତି, ସେମାନେ ବ୍ୟବସାୟୀଙ୍କୁ ସହଯୋଗ କରୁଥିବା ବେଳେ କିଛି ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏଭଳି ସ୍ଥିତିରେ ବାଲିଯାତ୍ରାରେ ବ୍ୟବସାୟ ମାନ୍ଦା ହେଉଛି । ମୁଖ୍ୟତଃ ଜୋତା, ଇଲେକ୍ଟ୍ରିକ୍ ଜିନିଷ ଓ କପଡା ଦୋକାନରେ ବେପରା ମାନ୍ଦା ଧରିଥିବା କୁହାଯାଉଛି ।