ସରିଗଲା ବାଲିଯାତ୍ରା : ୮୦ କୋଟିର କାରବାର, ଶେଷଦିନରେ ଲକ୍ଷାଧିକ ଲୋକଙ୍କ ଭିଡ଼
କନକ ବ୍ୟୁରୋ : ଗହଳଚହଳ, ରାସ୍ତା ଜାମ, ନାଚଗୀତରେ ଗଲା ୯ ଦିନ ଧରି ଦୁଲୁକୁଥିଲା କଟକ ସହର । ଆଜି ମଧ୍ୟରାତ୍ରିରୁ ସେ ସବୁର ଅନ୍ତ ଘଟିଛି । କଟକର ଐତିହାସିକ ବାଲିଯାତ୍ରା ଉଦ୍ଯାପିତ ହୋଇଛି । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିଥିବା ଏହି ରାଜ୍ୟସ୍ତରୀୟ ମହୋତ୍ସବରେ ପୂର୍ବ ବର୍ଷମାନଙ୍କର ସବୁ ରେକର୍ଡ ଭାଙ୍ଗିଛି । ପଡିଆରେ ଅସମ୍ଭବ ଭିଡ଼ ହୋଇଥିବା ବେଳେ ବ୍ୟବସାୟ ପରିମାଣ ବି ୮୦ କୋଟି ଟଙ୍କା ଟପି ଥିବା ଆକଳନ କରାଯାଉଛି । କେବଳ ଓରମାସ ଜାତୀୟ ପଲ୍ଲୀଶ୍ରୀ ମେଳାରେ ଚଳିତ ବର୍ଷ ୧୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ରବିବାର ଦିନ ଓରମାସରେ ଅଢେଇ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଗତକାଲି ୨ କୋଟି ୩ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି । ପ୍ରଥମ ଦୁଇ ଦିନକୁ ବାଦ ଦେଲେ ଅନ୍ୟ ଦିନ ମାନଙ୍କରେ ହାରାହାରି ଭାବେ ଦେଢରୁ ଦୁଇ କୋଟି ଟଙ୍କାର ବ୍ୟବସାୟ ହୋଇଛି । ଗତବର୍ଷ ବାଲିଯାତ୍ରାରେ ଓରମାସ ପରିସରରେ ୧୪ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ପାଖାପାଖି କୋଟିଏ ଟଙ୍କା ବଢି ଯାଇଛି । ଓରମାସ ପରିସରରେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ନେଇ ୭ ଶହ ଷ୍ଟଲ ପଡିଥିଲା । କିନ୍ତୁ ବାଲିଯାତ୍ରା ତଳ ଓ ଉପର ପଡିଆରେ ପାଖାପାଖି ୩ ହଜାରରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ବ୍ୟବସାୟ କରୁଥିବାରୁ ଏହି ହିସାବରେ ମୋଟ ବ୍ୟବସାୟ ୮୦ କୋଟି ଟଙ୍କା ଟପିଥିବା ଆକଳନ କରାଯାଉଛି। ସେହିଭଳି ୯ ଦିନରେ ୪୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ଆକଳନ କରାଯାଇଛି ।