କଟା ଗୋଡ ଧରି ଚଟାଣରେ ସାରାରାତି ପଡିରହିଲେ ଯୁବକ: ଆଡ ଆଖରେ ଦେଖିଲେନି ଏସସିବି ଡାକ୍ତର, ମିଳିଲାନି ବେଡ

1,685

କନକ ବ୍ୟୁରୋ: କଟା ଗୋଡ ଧରି ଚଟାଣରେ ରାତିସାରା ଗଡିଲେ ଯୁବକ । କିନ୍ତୁ ଆଡ ଆଖରେ ଦେଖିଲେନି ଡାକ୍ତର । ଟ୍ରେନରେ କଟି ଦୁଇଗୋଡ ହରାଇଥିବା ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ବିଳମ୍ବରେ ଆରମ୍ଭ ହେଲା ଚିକିତ୍ସା । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ବଡ ମେଡିକାଲରୁ । ଘଟଣା ଅନୁସାରେ. ଟ୍ରେକ ଧକ୍କାରେ ଯୁବକଙ୍କ ଦୁଇ ଗୋଡ କଟିଯାଇଥିଲା । ଗୁରୁତର ଅବସ୍ଥାରେ ମଂଚେଶ୍ୱର ରେଳବାଇ ପୋଲିସ ତାଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲା । ସଂପୃକ୍ତ ଯୁବକ ରାତିସାରା ଏସସିବିର ଆଶୁଚିକିତ୍ସା କେନ୍ଦ୍ର ଚଟାଣରେ ଅସହାୟ ଅବସ୍ଥାରେ ପଡିରହିଥିଲେ ।

ହେଲେ ତାଙ୍କୁ କେହି ବି ପଚାରୁନଥିଲେ । ସନ୍ଧ୍ୟାରୁ ରାତି ୧୨ଟା ଯାଏଁ ସେ ଆଶୁଚିକିତ୍ସା କେନ୍ଦ୍ରରେ ପଡିଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା ସୁବିଧା ମିଳିନଥିଲା । ବର୍ଷା ଛିଟା ଓ ମଶା କାମୁଡାରେ ସଂପୃକ୍ତ ଯୁବକ ଛଟପଟ ହୋଇଥିଲେ । ଦୁର୍ଘଟଣାଗ୍ରସ୍ତଙ୍କ କଟା ଗୋଡ ଓ ହାତ ଯୋଡିବା ପାଇଁ କଟକ ବଡ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଚିକିତ୍ସା ଲାଗି ସ୍ୱତନ୍ତ୍ର ୱାର୍ଡ ରହିଛି । କିନ୍ତୁ କାହିଁକିଁ ସଂପୃକ୍ତ ଯୁବକଙ୍କୁ ଚଟାଣରେ ପକାଯାଇଥିଲା ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଆଜି ସକାଳେ ଯୁବତଙ୍କ ଚିକିତ୍ସା ଆରମ୍ଭ ହୋଇଛି । ତେବେ ବର୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ ।