ଏସଡିଏମଙ୍କ ଆଦେଶ: ଶୌଚାଳୟ ସ୍ଥାପନ ନ କଲେ ଗାଁରୁ ବିଚ୍ଛିନ୍ନ ହେବ ବିଦ୍ୟୁତ

45

କନକ ବ୍ୟୁରୋ: ସ୍ୱଚ୍ଛତା ଅଭିଯାନର ଲକ୍ଷ୍ୟ ପୂରା କରିବାକୁ ଯାଇ ରାଜସ୍ଥାନର ଭିଳୱାଡା ଜିଲ୍ଲାର ଜାହାଜପୁର ଏସଡିଏମ କରତାର ସିଂହ ଗାଁଲୋକଙ୍କୁ ଏକ ଧମକପୂର୍ଣ୍ଣ ଆଦେଶ ଜାରି କରିଛନ୍ତି । ଆଦେଶରେ ସେ କହିଛନ୍ତି, ଘରେ ଶୌଚାଳୟ ସ୍ଥାପନ ନ କଲେ, ଗାଁରୁ ବିଦ୍ୟୁତ କାଟି ଦିଆଯିବ । ଏସଡିଏମ ଗାଙ୍ଗୀକଳା ଗାଁର ଲୋକଙ୍କୁ ଏଭଳି ଧମକପୂର୍ଣ୍ଣ ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହି ମାମଲା ଶନିବାର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପାଖକୁ ପହଞ୍ଚି ସାରିଛି । ଏହା ପରେ ସିଏମଓ ଶନିବାର ଆଦେଶକୁ ବାତିଲ କରି ଦେଇଛନ୍ତି ।

ଜାହାଜପୁର ବ୍ଲକର ଗାଙ୍ଗୀକଳା ଗାଁରେ ଏପର୍ଯ୍ୟନ୍ତ ୨୦ଟି ଘରେ ଶୌଚାଳୟ ସ୍ଥାପନ ହୋଇଛି । ଆଦେଶରେ ଏସଡିଏମ କହିଛନ୍ତି, ଜାହାଜପୁର ଉପଖଣ୍ଡରେ ୩୮ଟି ପଞ୍ଚାୟତ ରହିଛି । ଏଠାରେ ମାତ୍ର ୧୦ ପ୍ରତିଶତ ସ୍ଥାନରେ ଶୌଚାଳୟ ନିର୍ମାଣ ସରିଛି । ଉପର ଅଫିସରୁ ମିଳିଥିବା ନିର୍ଦ୍ଧାରିତ ଲକ୍ଷ୍ୟ ଡିସେମ୍ବର ପର୍ୟ୍ୟନ୍ତ ପୂରା କରିବାକୁ ହେବ ।

ଏଥିସହିତ ସମସ୍ତ ଗାଁକୁ ଖୋଲା ପଡ଼ିଆରେ ଶୌଚମୁକ୍ତ ହେବାକୁ ପଡ଼ିବ । ଗାଁର ଲୋକମାନେ ଶୌଚାଳୟ ସ୍ଥାପନ କରୁ ନଥିବାରୁ ଅଧିକାରୀ ବିଦ୍ୟୁତ ସଂଯୋଗ କାଟି ଦିଆଯିବା ପାଇଁ ଆଦେଶ ଦେଇଛନ୍ତି । ସିଂହ କହିଛନ୍ତି, ସରକାର ଯଦି ଏହା ଚାହୁଁ ନାହାନ୍ତି, ତେବେ ମୁଁ ଆଦେଶ ଫେରାଇ ନେବି । ଆମେ ଲୋକଙ୍କୁ ୧୫ ଦିନ ସମୟ ଦେଇଥିଲୁ ।