କାର୍ଡ ପେମେଣ୍ଟକୁ ଡରୁଛନ୍ତି ଓଡ଼ିଶାର ବ୍ୟବସାୟୀ ! ଡିଜିଟାଲ କାରବାରକୁ ଶକ୍ତ ଧକ୍କା, କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟରେ ଆସିଲା ସାଂଘାତିକ ସତ

43

କନକ ବ୍ୟୁରୋ : କାର୍ଡରେ ପେମେଣ୍ଟ କିମ୍ବା ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି କେନ୍ଦ୍ର ସରକାର ବାରମ୍ବାର କହିଆସୁଛନ୍ତି । ମାତ୍ର କାର୍ଡ ପେମେଣ୍ଟ କଲେ ଅନେକ ଦୋକାନୀ କୌଣସି ଡିସକାଉଣ୍ଟ ବା ରିହାତି ଦେବାକୁ ରାଜି ହେଉନଥିବା ଦେଖାଯାଉଛି । କାର୍ଡ ପେମେଣ୍ଟ କ୍ଷେତ୍ରରେ ଗ୍ରାହକଙ୍କ ଉପରେ ଟ୍ରାନଜାକସନ୍ ଫି ପଡୁନଥିବା ବେଳେ ଦୋକାନୀମାନେ କିନ୍ତୁ ୨ ପ୍ରତିଶତ ଟ୍ରାନାଜକସନ୍ ଫି ନେଉଥିବାର ଖବର ସାମ୍ନାକୁ ଆସୁଛି ।

ଆପଣ ଔଷଧ କିଣିଲା ବେଳେ କାର୍ଡରେ ପେମେଣ୍ଟ କଲା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି? କ୍ୟାସରେ କିଣିଲେ ଡିସକାଉଣ୍ଟ ମିଳିପାରେ, ମାତ୍ର କାର୍ଡରେ କିଣିଲେ ଡିସକାଉଣ୍ଟ ମିଳିବ ନାହିଁ ବୋଲି ଏବେ ବିଭିନ୍ନ ଦୋକାନୀ ରୋକଠୋକ ଶୁଣାଉଛନ୍ତି । ଆଉ ଏଭଳି କଥାର ସତ୍ୟତା ଜାଣିବା ପାଇଁ କନକ ନ୍ୟୁଜ ଟିମ୍ କିଛି ଔଷଧ ଦୋକାନ ବୁଲିଥିଲେ । ପ୍ରକୃତ ସତ ଜାଣିବା ପାଇଁ ଆମେ ଗୋଟିଏ କମ୍ପ୍ଲାନ୍ ପ୍ୟାକେଟ୍ କିଣିବାକୁ ଯାଇଥିଲୁ ଭୁବନେଶ୍ୱରର ସହିଦନଗର ଅଂଚଳକୁ । କମ୍ପ୍ଲାନ ପ୍ୟାକେଟରେ ଏମଆରପି ଥିଲା ୨୫୫ ଟଙ୍କା । କିନ୍ତୁ କାର୍ଡରେ ପେମେଣ୍ଟ କରିବାକୁ କହିବା ପରେ ଦୋକାନୀ ଯାହା କହିଥିଲେ ସେଥିରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା ।

ଉକ୍ତ ସାମଗ୍ରୀର ଏମଆରପି ୨୫୫ ଟଙ୍କା ଥିବା ବେଳେ କାର୍ଡରେ ନେଲେ ୫ ଟଙ୍କା କାଟିହେବ ନାହିଁ , କ୍ୟାସରେ ନେଲେ ୫ଟଙ୍କା କାଟିହେବ ବୋଲି କହିଥିଲେ ଦୋକାନୀ । ଏହାର କାରଣ ପଚାରିବାରୁ ଦୋକାନୀ ଜଣକ କହିଥିଲେ କ୍ୟାସରେ ନେଲେ ୨୫୦ ଟଙ୍କା ଦେବାକୁ ପଡିବ କିନ୍ତୁ କାର୍ଡରେ ପେମେଣ୍ଟ କଲେ ୨୫୫ ଟଙ୍କା ଦେବାକୁ ପଡିବ । କାରଣ ଗ୍ରାହକ କାର୍ଡରେ ପେମେଣ୍ଟ କରିବା ଦ୍ୱାରା ୨ ପ୍ରତିଶତ ଟ୍ରାନଜାକ୍ସନ ଚାର୍ଜ ଦେବାକୁ ପଡୁଛି ବୋଲି ଦୋକାନୀ ଜଣକ କହିଥିଲେ । ଅର୍ଥାତ୍ ୧୦୦ ଟଙ୍କାରେ ୨ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ପଡୁଛି । ତେଣୁ ସେମାନେ ଏମଆରପିରୁ କିଛି ବି ଟଙ୍କା କାଟିପାରୁନାହାନ୍ତି । ଦୋକାନୀ ଜଣକ ଏଭଳି କହିବା ଦ୍ୱାରା ପ୍ରକୃତ ସତ ସାମ୍ନାକୁ ଆସିଥିଲା ।

ଏବେ ପେଟ୍ରୋଲ ପମ୍ପରେ ଡିଜିଟାଲ୍ ପେମେଂଟକୁ ପ୍ରୋତ୍ସାହନ ଦିଆଯାଉଛି । କାର୍ଡ ଜରିଆରେ ପେମେଂଟ କଲେ ଗ୍ରାହକଙ୍କୁ ହଜାରେ ଟଙ୍କାରେ ୭ଟଙ୍କା ୫୦ ପଇସା କମ୍ ଦେବାକୁ ପଡୁଛି । ମାତ୍ର ଔଷଧ ଦୋକାନୀ ଭଳି ଅନ୍ୟ କିଛି ଦୋକାନୀରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଗୋଟିଏ ପଟେ ମୋଦି ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଦୋକାନୀ ମାନେ କାର୍ଡ ପେମେଣ୍ଟରେ ଅଧିକ ଟଙ୍କା ନେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।