ସାଧାରଣ ଲୋକଙ୍କୁ ମୋଦି ସରକାରଙ୍କ ଆଉ ଏକ ଝଟକା ! ବଢିଲା ସୀମା ଶୁଳ୍କ, ଜାଣନ୍ତୁ କେଉଁ ୧୯ଟି ସାମଗ୍ରୀ ପାଇଁ ଦେବାକୁ ପଡିବ ଅଧିକ ଟଙ୍କା

55

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ପକେଟକୁ ମହଙ୍ଗା ମାଡ । ପାର୍ବଣ ଋତୁ ପୂର୍ବରୁ ଅଥାର୍ତ ଆସନ୍ତାକାଲି ଠାରୁ ୧୯ଟି ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି । କାରଣ କେନ୍ଦ୍ର ସରକାର ସୀମା ଶୁଳ୍କରେ ବୃଦ୍ଧି କରିଛନ୍ତି । ଏଣିକି ଏସି, ଫ୍ରିଜ୍, ୱାସିଂ ମେସିନ ଭଳି ୧୯ଟି ସାମଗ୍ରୀ ଅଧିକ ଦରରେ କିଣିବେ ସାଧାରଣ ଲୋକେ । କାରଣ ଏହିସବୁ ସାମଗ୍ରୀ ଉପରେ ୨.୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସୀମାଶୁଳ୍କ ବୃଦ୍ଧି କରାଯାଇଛି । ଆଉ ଏହି ନୂଆ ଦର ବୁଧବାର ମଧ୍ୟରାତ୍ରରୁ ଲାଗୁ ହେବ ।

ସରକାର ଯେଉଁ ସବୁ ସମାଗ୍ରୀ ଉପରେ ସୀମାଶୁଳ୍କ ବୃଦ୍ଧି କରିଛନ୍ତି ତାହା ମଧ୍ୟରେ ଟିଭି, ୱାସିଂ ମେସିନ, ଫ୍ରିଜ୍, ଏସି, ଗହଣା ଭଳି ଘରୋଇ ସାମଗ୍ରୀ ରହିଛି । ନିଅଁଟିଆ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ସରକାର ସୀମା ଶୁଳ୍କ ବଢାଇବାକୁ ଚିନ୍ତା କରିଛନ୍ତି । ଯେଉଁ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି ସେଥିରୁ ବାର୍ଷିକ ୮୬ ହଜାର କୋଟି ଟଙ୍କା ସରକାରଙ୍କୁ ମିଳୁଥିଲା । ଆଜି ମଧ୍ୟରାତ୍ରରୁ ଏହି ବର୍ଦ୍ଧିତ ସୀମାଶୁଳ୍କ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି ।

ପୂର୍ବରୁ ୱାସିଂମେସିନ, ଫ୍ରିଜ୍ ଓ ଏସି ଉପରେ ସୀମାଶୁଳ୍କ ୧୦ ପ୍ରତିଶତ ଥିଲା । ଏହାକୁ ଆଉ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏବେ ସୀମା ଶୁଳ୍କ ୨୦ ପ୍ରତିଶତ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏହାଛଡା ସ୍ପିକର ଓ ଜୋତା ଉପରେ ମଧ୍ୟ ସୀମା ଶୁଳ୍କ ବୃଦ୍ଧି କରାଯାଇ ଯଥାକ୍ରମେ ୧୫ ଓ ୨୫ ପ୍ରତିଶତ କରାଯାଇଛି । ଘରୋଇ ପ୍ଲାଷ୍ଟିକ ଉପକରଣ ଉପରେ ସୀମାଶୁଳ୍କ ୧୦ ପ୍ରତିଶତ ବୃଦ୍ଧି କରାଯାଇ ୧୫ ପ୍ରତିଶତ କରାଯାଇଛି । ତେବେ ଏହି ସୀମା ଶୁଳ୍କରେ ବୃଦ୍ଧି ଫଳରେ ଡଲାର ତୁଳନାରେ ଲଗାତାର ହ୍ରାସ ପାଉଥିବା ଟଙ୍କାର ମୂଲ୍ୟରେ ମଧ୍ୟ ବୃଦ୍ଧି ହେବ ।

କେଉଁ ସାମଗ୍ରୀ ପାଇଁ ଦେବାକୁ ପଡିବ ଅଧିକ ଟଙ୍କା
– ଏସି, ଫ୍ରିଜ୍,ୱାସିଂ ମେସିନ (୧୦ କିଲୋଗ୍ରାମରୁ କମ,ଫ୍ରିଜ ଓ ଏସି ପାଇଁ ଆବଶ୍ୟକୀୟ କମ୍ପ୍ରେସର, ସ୍ପିକର,ଜୋତା, କାର ଟାୟାର, ବିଭିନ୍ନ ପ୍ରକାର ହୀରା, ରତ୍ନପଥର, ଘରୋଇ ପ୍ଲାଷ୍ଟିକ ଉପକରଣ, ମେଟାଲ, ବୋତଲ, ଫର୍ଣ୍ଣିଚର, ଟ୍ରଙ୍କ୍ ସୁଟକେଶ, ବ୍ରିଫକେସ, ଟ୍ରାଭେଲ ବ୍ୟାଗ, ବିମାନରେ ଆବଶ୍ୟକୀୟ ହେଉଥିବା ତୈଳ