ନବରଙ୍ଗପୁର କୋଡିଙ୍ଗା ହାଜତ ମୃତ୍ୟୁକୁ ନେଇ ଥମୁନି ଉତ୍ତେଜନା, ମୃତଦେହ ନେବାକୁ ରାଜି ହେଉନାହାନ୍ତି ଲୋକେ

85

କନକ ବ୍ୟୁରୋ : ନବରଙ୍ଗପୁର କୋଡିଙ୍ଗାରେ ଥାନାରେ ପୋଲିସ ମାଡରେ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ପରସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି । ଲୋକେ ମୃତଦେହକୁ ନେବାକୁ ରାଜି ହେଉନାହାନ୍ତି । ଗତକାଲି ଏହି ଘଟଣା ଘଟିଥିଲା । ଲୋକେ ଥାନା ଆଗରେ ପ୍ରତିବାଦ କରିବା ସହ ଥାନାରେ ଭଂଗାରୁଜା କରିଥିଲେ । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଠାରେ କୁକୁଡା ଖେଳ ଚାଲିଥିବା ବେଳେ ପୁଲିସ ଚଢାଉ କରିଥିଲା । ଯାହାକୁ ନେଇ ପୁଲିସ ଓ ସ୍ଥାନୀୟବାସିନ୍ଦା ଧସ୍ତାଧସ୍ତି ହୋଇଥିଲେ । ଏପରିକି କୁକୁଡା ଲଢେଇ ସମୟରେ ଉପସ୍ଥିତ ଲୋକେ ପୁଲିସ ଉପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ ।

ପୁଲିସ କୁକୁଡା ଲଢେଇ କରୁଥିବା ଦୁଇ ଜଣ ଅଭିଯୁକ୍ତକୁ ସେଠାରୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା । ପୋଲିସ ମାଡରେ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇବା ପରେ ଗାଁ ଲୋକେ ଉତ୍ୟକ୍ତ ହୋଇଉଠିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଲୋକେ କୋଡିଙ୍ଗା ଥାନାରେ ପଶି ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ କୋଡିଙ୍ଗାରେ ଉତେଜନା ଲାଗିରହିଛି । ଏହାପରେ ପୋଲିସ ଫ୍ଲାଗମାର୍ଚ କରିବା ସହ ୧୪୪ ଧାରା ଜାରି ହୋଇଥିଲା । ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି, ଏସପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାର ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।