ହରିୟାଣାରେ ଫେରୁଛି ଶାନ୍ତି ! ହିଂସାଗ୍ରସ୍ତ ଅଂଚଳରେ ସେନାର ଫ୍ଲାଗମାର୍ଚ୍ଚ, ସିର୍ସା ଡେରା ସଚ୍ଚା ମୁଖ୍ୟାଳୟରେ ପଶିଲା ସେନା

18

କନକ ବ୍ୟୁରୋ: ହରିୟାଣାର ହିଂସାଗ୍ରସ୍ତ ଅଂଚଳରେ ଫେରୁଛି ଶାନ୍ତି । ଗତକାଲି ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ମୁଖ୍ୟ ରାମ ରହିମ ଦୋଷୀ ସାବ୍ୟସ୍ତ ହେବା ପରେ ହରିୟାଣାରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ରେପିଷ୍ଟ ବାବାଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହିଂସାରେ ବର୍ତ୍ତମାନ ସୁଦ୍ଧା ୩୧ ଜଣ ପ୍ରାଣ ହରାଇଲେଣି ।

କେବଳ ପଂଚକୁଲାରେ ୨୯ ଜଣ ପ୍ରାଣ ହରାଇଥିବାବେଳେ ସିର୍ସାରେ ୨ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁଇ ଅଚଂଳ ବେଶୀ ହିଂସାଗ୍ରସ୍ତ ହୋଇଥିଲା । ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସଂପୃକ୍ତ ଅଂଚଳରେ ୧୪୪ ଧାରା ଜାରି ରହିଛି । ହିଂସା ପ୍ରଭାବିତ ଅଂଚଳରେ ସେନା ମୁତୟନ ହୋଇଛନ୍ତି । ସିର୍ସା ଓ ପଚଳୁଲାରେ ଆଜି ସକାଳେ ସେନା ଫ୍ଲାଗମାର୍ଚ କରିଛି । ରାମରହିମଙ୍କ ଶତାଧିକ ସମର୍ଥକଙ୍କୁ ଏବେ ବି ଅଟକ ରଖାଯାଇଛି । ଡେରା ସମର୍ଥକଙ୍କ ଅନେକ ଗାଡିକୁ ପୋଲିସ ଜବତ କରିଛି । ରାମ ରହିମଙ୍କ ୬ ଜଣ ସୁରକ୍ଷା ଗାର୍ଡ ବି ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, କିରୋସିନି ଓ ତେଲ ଜବତ ହୋଇଛି ।

ରୋହତକରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ଚଣ୍ଡୀଗଡରେ ବି ପରିସ୍ଥିତି ଶାନ୍ତ ରହିଛି । ସେପଟେ ହରିୟାଣାର ସିର୍ସାରେ ଥିବା ରାମ ରହିମଙ୍କ ମୁଖ୍ୟ ଅଫିସରେ ପଶିଛି ସେନା । ସଂପୃକ୍ତ ଅଫିସକୁ ସିଲ କରାଯାଇଥିବା ଖବର ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଡେରା ସଚ୍ଚାର ଆଶ୍ରମକୁ ବି ଖାଲି କରାଯାଇଛି । ଗତକାଲି ଏକ ଦୁଷ୍କର୍ମ ମାମଲାରେ ରାମ ରହିମ ଦୋଷୀ ସାବ୍ୟସ୍ତ ହେବା ପରେ ହରିୟାଣାରେ ହିଂସା ଦେଖାଦେଇଥିଲା ବାବାଙ୍କ ସମର୍ଥକ ଶତାଧିକ ଗାଡିରେ ନିଆଁ ଲଗାଇଦେଇଥିଲେ ।