କର୍ଫ୍ୟୁ କୋହଳ, ମୁକ୍ତିର ଆନନ୍ଦ ! ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଭଦ୍ରକ

37

କନକ ବ୍ୟୁରୋ : ଭଦ୍ରକରେ ଲିଭିସାରିଛି ଅଶାନ୍ତିର ନିଆଁ । ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି । ପୁରା ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି ପୋଲିସ ଓ ପ୍ରଶାସନ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ୪ ଘଂଟା ପାଇଁ କୋହଳ ହୋଇଥିଲା କର୍ଫ୍ୟୁ । ଆଉ ତିନି ଦିନ ଧରି ଏକପ୍ରକାର ଗୃହବନ୍ଦୀ ହୋଇ ରହିଥିବା ଲୋକେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବାହାରକୁ ବାହାରିଥିଲେ । ଖାଁ ଖାଁ ଥିବା ସହରର ରାସ୍ତା ୩ ଦିନ ପରେ ହଠାତ୍ ହୋଇପଡିଥିଲା ଲୋକାରଣ୍ୟ । ଯାହା ସଂକେତ ଦେଉଥିଲା ଭଦ୍ରକରେ ଖୁବଶୀଘ୍ର ଫେରିଆସୁଛି ସଦଭାବନା ।

ତେବେ ଦଙ୍ଗାଠାରୁ ବଳି ଯାଇଛି ଦଙ୍ଗା ପରର ସ୍ଥିତି । ଦୋକାନ ବଜାରରୁ ଚାଲିଛି ଲୁଟପାଟ୍ । ପରିବା ଓ ରାସନ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ଦଙ୍ଗାକାରୀ । ଆଉ ଅଶାନ୍ତିର ନିଆଁ ଲିଭିଯିବା ପରେ ଯାହା କିଛି ବର୍ତି ଯାଇଛି ତାକୁ ବି ଲୁଟି ନେଇଛନ୍ତି ଲୋକେ । ପଚାରିଲେ ତିନିଦିନ ହେଲା ପରିବାର ଭୋକିଲା ଥିବା ଯୁକ୍ତି ବାଢିଛନ୍ତି ।

ନିଆଁ ଲାଗି ସର୍ବସ୍ୱ ହରାଇଥିବା ଦୋକାନୀଙ୍କର ଦେଖା ନାହିଁ । ହେଲେ ବର୍ତିଯାଇଥିବା ସାମଗ୍ରୀକୁ ଲୁଟପାଟ ପାଇଁ ଚାଲିଛି ପ୍ରତିଯୋଗିତା । ବର୍ଦ୍ଦିରେ ଥିବା ପୁଲୁସ ବାବୁ ବି ଚଳାଇଛନ୍ତି ଲୁଟପାଟ । କିଏ ଜାଣେ ପୁଣି କେତେବେଳ ପ୍ରଶାସନ କୋହଳ କରିବ କଟକଣା । ତେଣୁ ନିଜ ନିଜର ଆବଶ୍ୟକତା ପୂରଣ କରିବାକୁ କାଁଭାଁ ଖୋଲିଥିବା କେତୋଟି ଦୋକାନରେ ଗହଳି ଲଗାଇଥିଲେ ଲୋକେ ।

ପ୍ରଶାସନର କର୍ଫ୍ୟୁ କଟକଣା ଲୋକଙ୍କୁ ଅସୁବିଧାକୁ ଆହୁରି ବଢାଇ ଦେଇଛି । ତଥାପି ଲୋକଙ୍କ ଆଶା ଭଦ୍ରକରେ ଫେରିବ ଭାଇଚାରା । ପୁଣି ପୂର୍ବପରି ସବୁକିଛି ହୋଇଯିବ ସ୍ୱାଭାବିକ । ଅଶାନ୍ତି ଓ ହିଂସାର ଏ କଳା ବାଦଲ ହଟିଯିବ ।