ଯେତେବେଳେ ବଲିଉଡର ସର୍ବଶ୍ରେଷ୍ଠ ଡ୍ୟାନ୍ସର ମାନଙ୍କର କଥା ଉଠେ ସେତେବେଳେ ହେଲେନ୍ ଓ ବୈଜୟନ୍ତି ମାଲାଙ୍କ ଭଳି ସଦାବାହାର୍ ନାୟିକା ମାନଙ୍କ ନାଁ ସାମ୍ନାକୁ ଆସେ । ହେଲେ ଏମାନଙ୍କ ପୂର୍ବରୁ ଆଉ ଜଣେ ନାୟିକା ଥିଲେ ଯାହାଙ୍କ ଡ୍ୟାନ୍ସ ସିନେମା ଦୁନିଆଁରେ ହଲଚଲ୍ ସୃଷ୍ଟି କରିଥିଲା । ସେ ହେଉଛନ୍ତି ୫୦ଦଶକର ଅଭିନେତ୍ରୀ କୁକୁ ମୋରେ । କୁକୁ ନିଜର ମତୁଆଲା ଓ ବଦଖର୍ଚ୍ଚି ଅନ୍ଦାଜ୍ ପାଇଁ ବେଶ୍ ଚର୍ଚ୍ଚିତ ଥିଲେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଜୀବନ ଶେଷ ସମୟରେ ଔଷଧ କିଣିବାକୁ ମଧ୍ୟ କୁକୁଙ୍କ ପାଖରେ ଟଙ୍କା ନଥିଲା । ଏବେ ନଜର ପକାନ୍ତୁ କୁକୁଙ୍କ ଜୀବନର କିଛି ଅକୁହା କାହାଣୀ ଉପରେ ।

କୁକୁ ମୋରେ ହେଲେନଙ୍କ ପାରିବାରିକ ବନ୍ଧୁ ଥିଲେ । ଡ୍ୟାନ୍ସରେ ହେଲେନ ମଧ୍ୟ କୁକୁଙ୍କୁ ନିଜ ଗୁରୁ ମାନନ୍ତି । ନିଜ ନାଚ ପାଇଁ କୁକୁ ‘ରବର ଗର୍ଲ’ ନାମରେ ପରିଚିତ ଥିଲେ । କେବଳ କୁକୁଙ୍କ ପାଇଁ ହିଁ ୫୦ ଦଶକର ସିନେମାରେ କ୍ୟାବରେ ଡ୍ୟାନ୍ସ ଜରୁରି ହୋଇ ପଡିଥିଲା ।

ନିଜ ପ୍ରତ୍ୟେକ ଆଇଟମ୍ ଡ୍ୟାନ୍ସ ପାଇଁ କୁକୁ ୬୦୦୦ ଟଙ୍କା ନିଅନ୍ତି । ଯାହା ସେ ସମୟରେ ସବୁଠାରୁ ବଡ ଥିଲା । କେହି କେହି ତାଙ୍କୁ ଏଥିପାଇଁ ଇର୍ଷା ମଧ୍ୟ କରନ୍ତି ।

କୁକୁଙ୍କ ୩ଟି ଲଗଜୁରୀ ଗାଡି ଥିଲା । ଯାହା ଭିତରୁ ଗୋଟିଏ ତାଙ୍କ ପ୍ରିୟ କୁକୁର ପାଇଁ ଥିଲା । ଲକ୍ଷାଧିକ ସଂପତିର ମାଲିକାଣୀ ଥିଲେ କୁକୁ । ତେବେ କୁହାଯାଏ , ଟିକସ ଫାଙ୍କି ଆୟକରର ନିୟମ ଉଲଂଘନ କରିଥିବାରୁ ତାଙ୍କର ସମସ୍ତ ସଂପତି ଜବତ କରିଥିଲା ବିଭାଗ । ଯାହା ପରେ ତାଙ୍କ ପାଖରେ ଫଟା ପାହୁଲାଟିଏ ମଧ୍ୟ ରହିଲା ନାହିଁ ।

ଏହା ପରେ ପରେ କୁକୁଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଥିଲା । ସମସ୍ତ ସଂପତି ତ ଗଲା ତା ସହ ଯେଉଁ ନିର୍ଦ୍ଦେଶକଙ୍କୁ ପ୍ରେମ କରୁଥିଲେ ସିଏ ବି ଠିକ୍ ସମୟରେ ହାତ ଛାଡି ଦେଇଥିଲେ । ଏପରିକି ତାଙ୍କୁ ଆଉ ସିନେମାରେ କାମ ମଧ୍ୟ ମିଳିଲା ନାହିଁ ।

ତାପରେ ଦିନେ କୁକୁ ଜାଣିବାକୁ ପାଇଲେ ଯେ ତାଙ୍କୁ କ୍ୟାନ୍ସର ହୋଇଛି । ତେବେ ଏତେ ସବୁ ଘଟଣା ପରେ ବି କୁକୁ ଭାଙ୍ଗି ପଡିନଥିଲେ । ବଂର ଖୁସିର ସହ ସାମ୍ନା କରିଥିଲେ ।

କୁକୁଙ୍କ ଶେଷ ସମୟ ସମୟ ଅତ୍ୟନ୍ତ ଦୟନୀୟ ଥିଲା । ନିଜ କୁକୁରକୁ ଦାମୀ କାରରେ ବୁଲାଉଥିବା କୁକୁଙ୍କ ଚିକିତ୍ସା ପାଇଁ ବି ପାଖରେ ଟଙ୍କା ନଥିଲା । ସିନେମା ଇଣ୍ଡଷ୍ଟ୍ରିର ମଧ୍ୟ କେହି ସାହାଯ୍ୟର ହାତ ବଢାଇ ନଥିଲେ । ଏପରିକି ତାଙ୍କ ମୃତ୍ୟୁ ସମୟରେ ମଧ୍ୟ କେହି ତାଙ୍କ ପାଖରେ ଉପସ୍ଥିତ ନଥିଲେ ।