ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଥିଲା ବିରୋଧ ଭୟ ! ହାଡ଼ଭଙ୍ଗା ଶୀତରେ ବି ସୁରକ୍ଷାକର୍ମୀ ଉତାରିଦେଲେ ୩ବର୍ଷ ଶିଶୁର ଜ୍ୟାକେଟ୍

262

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ କାର୍ଯ୍ୟକ୍ରମରେ ୩ବର୍ଷର ଶିଶୁର ଜ୍ୟାକେଟ୍ ଉତାରି ଦେଲେ ସୁରକ୍ଷା କର୍ମୀ । କଳା ଜ୍ୟାକେଟ ପିନ୍ଧି ଥିବା ଯୋଗୁଁ ଶିଶୁଟିକୁ ନିଜ ଜ୍ୟାକେଟ ଓହ୍ଲାଇବାକୁ ପଡିଲା । ଥଣ୍ଡା ସତ୍ୱେ ଶିଶୁର ଜ୍ୟାକେଟ ଓହ୍ଳାଇଲେ ମା’ । କାରଣ ଏପରି କରିବାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶ ଥିଲା ବୋଲି ମହିଳା ଜଣକ କହିଥିଲେ । ମଙ୍ଗଳବାର ଦିନ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ କାର୍ଯ୍ୟକ୍ରମକୁ ଯିବା ପାଇଁ ଏହି ଶିଶୁଟିକୁ ତାର ଜ୍ୟାକେଟ ଓହ୍ଳାଇବା ପାଇଁ କୁହାଯାଇଥିବା ଅଭିଯୋଗ ହୋଇଛି ।

ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆସାମର ବିଶ୍ୱନାଥ ଜିଲ୍ଲାର ଏହି ଭିଡିଓ ବୋଲି ଜଣାପଡିଛି । ଏପରି ଘଟଣାକୁ ନେଇ ସରକାରଙ୍କ ସମେତ ସୁରକ୍ଷାକର୍ମୀଙ୍କ ବେଶ ସମାଲୋଚନା କରାଯାଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧର ଭୟ ରହିଥିଲା । ତେଣୁ ସୁରକ୍ଷାକର୍ମୀମାନେ ଏପରି କରିଥାଇପାରନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସରକାର ସ୍ପଷ୍ଟୀକରଣ ରଖିଛନ୍ତି । ସରକାରୀ ସ୍ତରରେ ଏମିତି କୌଣସି ନିର୍ଦ୍ଦେଶ ଦିଆଯାଇନି ଥିଲା ବୋଲି ସରକାର କହିଛନ୍ତି । ଅପରପକ୍ଷରେ ସମଗ୍ର ଘଟଣାର ଯାଂଚ ନିର୍ଦ୍ଦେଶ ଦିଆଯାଇଛି ।