‘ମୋ ବସ’ ଯାତ୍ରୀଙ୍କ ପାଇଁ ଖୁସିଖବର । ଏସି ବସରେ ୨ ମାସ ପର୍ଯ୍ୟନ୍ତ ରିହାତି ପାଇବେ ଯାତ୍ରୀ, କମିଲା ୩୮ ପ୍ରତିଶତ ଭଡା । ଜାଣନ୍ତୁ କେବେଠୁ ଲାଗୁ ହେବ ରିହାତି ଦର । 

875

କନକ ବ୍ୟୁରୋ : ମୋ ବସ ଯାତ୍ରୀଙ୍କ ପାଇଁ ଖୁସିଖବର । ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଆଗାମୀ ୨ ମାସ ପର୍ଯ୍ୟନ୍ତ  ‘ମୋ ବସ’ର ଶୀତତାପ ନିୟନ୍ତ୍ରିତ (ଏସି) ବସ ଗୁଡିକରେ ଯାତ୍ରୀଙ୍କୁ ରିହାତ ଦିଆଯିବା ନେଇ ଘୋଷଣା କରିଛି କ୍ରୁଟ୍ । ଏସି ବସର ଭଡାକୁ ୩୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହାଛଡା ମାସିକ ପାସର ଦର ମଧ୍ୟ କମାଯାଇଛି ।

ପୂର୍ବରୁ ଏସି ବସ୍ ଗୁଡିକରେ ପ୍ରଥମ ୨ କିମି ପର୍ଯ୍ୟନ୍ତ ସର୍ବନିମ୍ନ ଭଡା ୮ ଟଙ୍କା ନିଆଯାଉଥିବା ବେଳେ ଏବେ ଏହାକୁ ହ୍ରାସ କରାଯାଇ ୫ ଟଙ୍କା କରାଯାଇଛି । ସେହିଭଳି ଏସି ବସର ସର୍ବାଧିକ ଭଡା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି । ପୁରୁଣା ଦର ଅନୁଯାୟୀ, ଶୀତତାପ ନିୟନ୍ତ୍ରିତ ବସର ଭଡା ଅଣ ଶୀତତାପ  ନିୟନ୍ତ୍ରୀତ ବସ ଭଡା ଠାରୁ ୬୦ରୁ ୧୪୦ ପ୍ରତିଶତ ଅଧିକ ରହୁଛି । ତେବେ ନୂଅେ ଦର ଅନୁଯାୟୀ ଉଭୟ ବସ୍ ମଧ୍ୟରେ ଭଡା ବ୍ୟବଧାନ ମାତ୍ର ୩୦ ପ୍ରତିଶତ ଅଧିକ ରହିବ । ତେଣୁ ଯାତ୍ରୀ ମାନେ ଶୀତତାପ ନିୟନ୍ତ୍ରୀତ ବସରେ ବସି ରାଜଧାନୀର ମଜା ଉଠାଇପାରିବେ ବୋଲି କହିଛନ୍ତି କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ।

 ସେହିଭଳି ଅଣ ଶୀତତାପ ନିୟନ୍ତ୍ରୀତ ବସର ମାସିକ ଭଡା ୬୦୦ରୁ ୫୫୦ ଟଙ୍କାକୁ ହ୍ରାସ କରାଯିବାକୁ ଥିବା ବେଳେ ଶୀତତାପ ନିୟନ୍ତ୍ରୀତ ଭଡା ୯୦୦ ଟଙ୍କାରୁ ୭୫୦ ଟଙ୍କାକୁ କମାଯିବ । ଏହାବାଦ୍ ବସରେ ଖୁଚୁରା ସମସ୍ୟା ଦେଖାଦେଉଥିବାରୁ ନୂଆ ଦର ଯାତ୍ରୀଙ୍କୁ ସୁହାଇବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି ।