ପେଟ୍ରୋଲ ଦରରେ ଲାଗିଲା ନିଆଁ ! ୨୦୧୯ରେ ଜଳିଯିବ କି ମୋଦି ସରକାର ?

140

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦରରେ ଲାଗିଲା ନିଆଁ । ନୂଆବର୍ଷ ଆରମ୍ଭରୁ ହିଁ ଦେଶରେ ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଏପରିକି ଗୋଟିଏ ଗୋଟିଏ ସ୍ଥାନରେ ପେଟ୍ରୋଲ ଦର ୮୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ଲିଟର ପିଛା ୭୦ ଧରିଲାଣି । ଏହାପଛର ମୁଖ୍ୟ କାରଣ ହେଉଛି ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି । ଏବେ ଗ୍ଳୋବାଲ ମାର୍କେଟରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୭୦ ଡଲାରରେ ପହଞ୍ଚିଲାଣି । ଯଦି ଏହିଭଳି ଭାବେ ଆଶୋଧିତ ତୈଳର ମୂଲ୍ୟବୃଦ୍ଧି ହୁଏ ତେବେ ଖୁବଶୀଘ୍ର ଏହା ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିବ । ଯାହାର ପ୍ରଭାବ ସିଧାସଳଖ ଭାରତ ଉପରେ ମଧ୍ୟ ପଡିବ । ଏହାଦ୍ୱାରା ଡିଜେଲ ଓ ପେଟ୍ରୋଲର ମୂଲ୍ୟ ଲିଟର ପ୍ରତି ୧୦୦ ଟଙ୍କା ପାର କରିବ ।

modiତେବେ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଏବେ ମୋଦି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଭାରତୀୟ ରାଜନୀତିରେ ଅଶୋଧିତ ତୈଳ ଏକ ଗେମଚେଞ୍ଜର ଭୂମିକା ନିର୍ବାହ କରିଛି । ଏପରିକି ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁଁ କଂଗ୍ରେସକୁ ଶାସନଗାଦି ମଧ୍ୟ ହରାଇବାକୁ ପଡିଛି । କାରଣ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ନ୍ତଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲର ଦର ଦେଶର ଅଧିକାଂଶ ସ୍ଥାନରେ ୭୫ ପାର କରିଯାଇଥିଲା । ପେଟ୍ରୋଲ ଡିଜେଲ ଦରରେ ଏଭଳି ବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ପଡୁଥିଲା । ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ନିର୍ବାଚନରେ କଂଗ୍ରେସର ବିଜୟ ରଥକୁ ଅଟକାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ଏହାର ଭରପୂର ଫାଇଦା ଉଠାଇଥିଲା ବିଜେପି । କଂଗ୍ରେସ ସରକାର ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ବିଜେପି ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଏହାକୁ ମୁଦ୍ଦା କରି ବିଜେପି ସାଧାରଣ ଲୋକଙ୍କ ଭୋଟ ହାତେଇବା ସହ ଏକାକୀ ସଂଖ୍ୟା ଗରିଷ୍ଠ ଦଳ ଭାବେ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲା ।

oil fuel୨୦୧୪ରେ ମୋଦି ଦେଶର ଶାସନଭାର ହାତକୁ ନେବା ପରେ ହଠାତ୍ ଅର୍ନ୍ତଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ଆଶ୍ଚଯ୍ୟଜନକ ଭାବେ ହ୍ରାସ ପାଇଥିଲା । ଯାହା ବିଜେପି ସରକାର ପାଇଁ ଆଣିଥିଲା ସୁବର୍ଣ୍ଣ ସୁଯୋଗ । ଏପରିକି ୨୦୧୪ ପରେ ପରେ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୧୨୫ ଡଲାରରୁ ୩୦ ଡଲାର ପର୍ଯ୍ୟନ୍ତ ଖସି ଆସିଥିଲା । କିନ୍ତୁ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ତୁଳନାରେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ସେହିଭଳି ହ୍ରାସ ଦେଖା ଦେଇନଥିଲା । ତେବେ ପେଟ୍ରୋଲର ଦର ୭୬ ଟଙ୍କାରୁ ୫୬ ଟଙ୍କାରେ ପହଞ୍ଚଥିଲା ଯାହା ସାଧାରଣ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିଥିଲା । ପେଟ୍ରୋଲ ଦର କିିଛି ମାତ୍ରାରେ ହ୍ରାସ ଘଟିବା ଫଳରେ ମୋଦି ସରକାର ଏହାକୁ ନେଇ ବାହାବା ନେବାକୁ ମଧ୍ୟ ପଛାଇ ନଥିଲେ । କିନ୍ତୁ ଏବେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ କଂଗ୍ରେସ ସରକାର ଭଳି ବିଜେପି ସରକାର ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେଣୁ ଏଭଳି ସ୍ଥିତିରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ମୋଦି ସରକାର ପାଇଁ ଅଡୁଆ ସୃଷ୍ଟି କରୁଥିବା ବେଳେ ବରୋଧୀଙ୍କ ପାଇଁ ବରଦାନ ହୋଇପାରେ । କାରଣ ‘ଅଚ୍ଚେ ଦିନ’ର ନାରା ଦେଇ ସରକାରକୁ ଆସିଥିବା ବିଜେପି ପାଇଁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ୨୦୧୯ ନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ ହୋଇପାରେ ।

petrol-pump-759ତେବେ ଏସବୁ ଭିତରେ ପେଟ୍ରୋଲ ଦର ନିର୍ଦ୍ଧାରଣ କରିବା ପାଇଁ ଅନେକ ନିୟମରେ ପରିବର୍ତ୍ତନ ଆସିଛି । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟକୁ ଦେଖି ଏବେ ପ୍ରତ୍ୟକ ଦିନ ପେଟ୍ରୋଲ ଦରରେ ପରିବର୍ତ୍ତନ କରାଯାଉଛି । କିନ୍ତୁ ଯଦି ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚେ ତେବେ ପୁଣିଥରେ ମହଙ୍ଗା ମାଡରେ ଶିକାର ହେବେ ସାଧାରଣ ଲୋକେ । ଆଉ ଏହାର ସିଧାସଳଖ ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡିବ । ତେଣୁ ୧୦୦ ଟଙ୍କାର ପେଟ୍ରୋଲ ଆଗାମୀ ଦିନରେ ମୋଦି ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି ଏବେ ଚର୍ଚ୍ଚା ଜୋର ଧରିଲାଣି । କାରଣ ଓଇସିଡିର କହିବା ଅନୁଯାୟୀ, ୨୦୨୦ ସୁଦ୍ଧା ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପ୍ରତି ୨୭୦ ଡଲାର ଛୁଇଁଥିବ । ସେତେବେେଳେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ଦର କେତେ ରହିବ ତାହାକୁ ନେଇ ଏବେଠୁ ଚିନ୍ତା କରିବା ଆରମ୍ଭ କଲେଣି ମୋଦି ସରକାର ।