‘ସୁନ୍ଦରୀ’ ସହ ୭ ମିନିଟ୍ ! ଜାଣନ୍ତୁ ସାତକୋଶିଆର ଏହି ଲୋମଟାଙ୍କୁରା ଘଟଣା, ଯେବେ ଜଙ୍ଗଲରେ ଯବାନ ଓ ବାଘୁଣୀ ହୁଅନ୍ତି ମୁହାଁମୁହିଁ ।

35

କନକ ବ୍ୟୁରୋ : ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀ ସହ ସାତ ମିନିଟ୍ । କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ଗତକାଲି ସନ୍ଧ୍ୟାରେ ମାଓ ବିରୋଧୀ ଅପରେସନ୍ ସାରି ଫେରୁଥିବା ବେଳେ ସୁନ୍ଦରୀ ସହ ସାମ୍ନାସାମ୍ନି ହୋଇଥିଲେ ସିଆରପିଏଫ୍ ଯବାନ । ପ୍ରାୟ ୭ ମିନିଟ୍ ଧରି ବାଘୁଣୀ ଯବାନଙ୍କୁ ଚାହିଁ ରହିଥିଲା । ଏବଂ ଯବାନ ମାନେ ମଧ୍ୟ ସୁନ୍ଦରୀକୁ ଚାହିଁ ରହିଥିଲେ ।

ଗୁରୁବାର ସନ୍ଧ୍ୟା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଠିକ୍ ଏହିଭଳି ଏକ ଛାତିଥରା ଘଟଣା ଘଟିଲା । ଗୁରୁବାର ସନ୍ଧ୍ୟାରେ ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ସିଆରପିଏଫ୍ ଯବାନ ଓ ବାଘୁଣୀ ସୁନ୍ଦରୀ ସାମ୍ନାସାମ୍ନି ହୋଇଗଲେ । ରାସ୍ତା ଉପରକୁ ଚାଲିଆସିଲା ଏହି ବାଘୁଣୀ । ଯବାନମାନେ ପ୍ରଥମେ ହଡବଡ଼େଇ ଗଲେ । କିନ୍ତୁ ବାଘ ଆଗରେ ନିର୍ଭୟ ହୋଇ ଠିଆ ହେଲେ ଏବଂ ବାଘୁଣୀର ବ୍ୟବହାର ଉପରେ ନଜର ରଖିଲେ ।

ନା ରାସ୍ତାରୁ ବାଘୁଣୀ ହଟୁଥାଏ ନା ଯବାନ । ଉଭୟ ଉଭୟଙ୍କୁ ଦେଖୁଥାନ୍ତି । ୫, ୬ ମିନିଟ୍ ପରେ ଗାଡ଼ିର ହର୍ନ ବାରମ୍ବାର ବଜାଇଲେ । ଏବଂ ବାଘୁଣୀ ଧୀରେ ଧୀରେ ରାସ୍ତା ଉପରୁ ହଟି ଜଙ୍ଗଲ ଭିତରକୁ ଚାଲିଗଲା । ସୁନ୍ଦରୀର ଚାଲିଚଳଣ ଏବଂ ତାର ବ୍ୟବହାରକୁ ନେଇ ଅଡ଼ୁଆରେ ପଡ଼ିଗଲେଣି ସରକାର । କାରଣ ଏହି ବାଘୁଣୀର ନଜର ଏବେ ଆଖ ପାଖ ଗାଁଗୁଡ଼ିକ ଉପରେ । ଜଣେ ମହିଳାଙ୍କୁ ଆକ୍ରମଣ କରି ମାରିଦେବାର ଅଭିଯୋଗ ପରେ ସୁନ୍ଦରୀକୁ ନେଇ ସାରା ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।