ଲାଲ କରିଡରରେ ଦେବ ଦୂତ ସାଜିଲେ ଯବାନ । ମାଓ ଆକ୍ରମଣର ଭୟକୁ ଖାତିର ନକରି ଦେଲେ ମାନବିକତାର ପରିଚୟ

29

କନକ ବ୍ୟୁରୋ: ଲାଲ କରିଡରରେ ଦେବ ଦୂତ ସାଜିଲେ ଯବାନ । ମାଓ ଆକ୍ରମଣର ଭୟକୁ ଖାତିର ନକରି ମାନବିକତାର ପରିଚୟ ଦେଖାଇଛନ୍ତି ସିଆରପିଏଫ ଯବାନ । ଲାଲଗଡରେ ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଆହତ ମହିଳାଙ୍କୁ, ଭାରରେ ବୋହି ୭ କିଲୋମିଟର ଚାଲିଲେ ଯବାନ । ଯବାନଙ୍କ ଏଭଳି ସାହିସିକତାର ଚିତ୍ର ଆସିଛି ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରୁ ।

 

 

ଗତ ଶନିବାର ଦିନ ବିଜାପୁର ଗଙ୍ଗାଲୁର ଥାନା ଅନ୍ତର୍ଗତ ବୁର୍ଜି ଜଙ୍ଗଲରେ ସିଆରପିଏଫ ଯବାନମାନେ କମ୍ବିଂ ସାରି ଫେରୁଥିଲେ । ଠିକ୍ ଏହି ସମୟରେ ମାଓବାଦୀ ଖଂଜିଥିବା ପ୍ରେସର ବୋମା ବିସ୍ଫୋରଣ ହେଇଥିଲା । ଏଥିରେ ସେହି ବାଟରେ ଯାଉଥିବା ପୁଷ୍ନାର ଅଂଚଳ ଦୁଇ ଜଣ ଆଦିବାସୀ ମହିଳା ଆହତ ହୋଇଥିଲେ । ଆହତ ମହିଳାଙ୍କୁ କମ୍ବିଂ ସାରି ଫେରୁଥିବା ଯବାନ ମାନେ ବାଉଁଶରେ ଭାର କରି ଗଙ୍ଗାଲୁର ମୁଖ୍ୟ ରାସ୍ତାକୁ ଆଣିଥିଲେ । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବିଜାପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି ।

 

 

ଯବାନମାନେ ଜଙ୍ଗଲ ଭିତରେ ମହିଳାଙ୍କୁ ଭାରରେ ବୋହି ଆସିବା ବାଟରେ ଆଉ ଏକ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଛନ୍ତି । ତଥାପି ପ୍ରତିମୁହୂର୍ତ୍ତରେ ବିପଦକୁ ସାମ୍ନା କରି ରକ୍ତମୁଖା ଲାଲବାହିନୀ ସହ ଲଢୁଥିବା ଯବାନମାନେ ହାର ମାନିନଥିଲେ । ଏନେଇ ବିଜାପୁର ଏସପି ପ୍ରତିକ୍ରିୟା ରଖି କହିଛନ୍ତି, ସମ୍ପୃକ୍ତ ଅଂଚରେ କମ୍ପିଂ ଅପରେସନକୁ ଜୋରଦାର କରାଯାଇଛି । ଯବାନଙ୍କ ଏଭଳି ଉଦ୍ୟମ ଯବାନ ଓ ଆଦିବାସୀଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବାରେ ସହାୟକ ହେବ ।