ଶୁଣିଲେନି ସରକାର, ହାତ ବଢ଼ାଇଲେ ଯବାନ । ୭୨ ବର୍ଷ ପରେ ଅନ୍ଧାର ମୁଲକ ଗାଁକୁ କରିଦେଲେ ଆଲୋକିତ

23

ଦଶରଥ ମାଂଝିଙ୍କ ଚରିତ୍ରକୁ ନେଇ ନିର୍ମିତ ଫିଲ୍ମ ‘ମାଂଝି-ଦ-ମାଉଣ୍ଟେନ ମ୍ୟାନ’ ଆପଣଙ୍କୁ ମନେ ଥିବା । ଆପଣଙ୍କୁ ସେହି ସିନେମାର ପାହାଡ ବି ମନେ ଥିବ, ଯାହା ସେହି ଗାଁର ସମସ୍ତ ଖୁସି ଛଡାଇ ନେଇଥିଲା । ଏମିତି ଏକ ପାହାଡ଼ ଝାରଖଣ୍ଡର ଲତେହାର ଜିଲ୍ଲାରେ ଅଛି । ଲତେହାରରେ ସେହି ପାହାଡ଼କୁ ‘ବୁରା ପାହାଡ’ ବା ‘ଖରାପ ପାହାଡ଼’ ନାମରେ ଡାକନ୍ତି । ଏହି ପାହାଡ଼ ପାଖରେ ଏକ ଅଭାଗା ଗାଁ ଅଛି, ଯାହାର ନାମ କରମଦୀହ । କରମଦୀହର ଭାଗ୍ୟହୀନତାର ବାହାନା ହେଉଛି ବୁରା ପାହାଡ଼ କିନ୍ତୁ ଅସଲ କାରଣ ହେଉଛି ସରକାରଙ୍କ ଅପାରଗତା । ସ୍ୱାଧୀନତାର ୭୨ ତମ ବର୍ଷରେ ଏହି ଗାଁ ପର୍ଯ୍ୟନ୍ତ ନା ସଡ଼କ ପହଂଚିପାରିଛି ନା ଏଠାକାର ଲୋକେ ବିଜୁଳିର ଦର୍ଶନ କରିଛନ୍ତି ।

ସରକାରଙ୍କ ଅପାରଗତାର ମାଡ଼ କମରଦୀହ ଗାଁର ନିବାସୀ ସହୁଥିଲେ, ସେତେବେଳେ ଏହି ଗାଁରେ ଏକ ବର୍ଷ ପୂର୍ବେ ନକ୍ସଲଙ୍କ ନଜର ପଡିଥିଲା । ପୁଲିସ ଓ ପ୍ରଶାସନର ଆଖିରେ ନ ଆସିବା କାରଣରୁ ନକ୍ସଲଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ ବନିଗଲା । ନକ୍ସଲଙ୍କ ଉପଦ୍ରବ ଯେତେବେଳେ ଗ୍ରାମବାସୀଙ୍କ ପାଇଁ ଅସହ୍ୟ ସାବ୍ୟସ୍ତ ହେଲା, ସେତେବେଳେ ସରକାର ଯୋଜନା କେବଳ ସିଆରପିଏଫ୍ ର ମୁତୟନ ପର୍ଯ୍ୟନ୍ତ ସୀମିତ ରହିଲା ।

ସିଆରପିଏଫ୍ ଗାଁରେ ପହଂଚିବା ପରେ ଗ୍ରାମବାସୀଙ୍କୁ ଦୁଇଟି ଫାଇଦା ହେଲା । ପ୍ରଥମେ ଗାଁରେ ନକ୍ସଲଙ୍କ ଆସିବା ବନ୍ଦ ହୋଇଗଲା ଓ ଅନ୍ୟଟି ଦୂରରୁ ସିଆରପିଏଫଙ୍କ କ୍ୟାମ୍ପରେ ଜଳୁଥିବା ବଲବ୍ ଦେଖି ଖୁସି ହୋଇଯାଉଥିଲେ । ସେମାନେ କେବେ ଭାବି ନଥିଲେ ଯେ, ତାଙ୍କ ଘରେ ବି ବିଦ୍ୟୁତ ବଲବ୍ ଲାଗିବ ଓ ଘରକୁ ଆଲୋକିତ କରିବ ।

୧୨ ଅଗଷ୍ଟ ୨୦୧୮ରେ ସିଆରପିଏଫ୍ ର ମହାନିରୀକ୍ଷକ ସଂଜୟ ଆ. ଲାଠକର ଏହି କ୍ୟାମ୍ପର ନୀରିକ୍ଷଣ ପାଇଁ ପହଂଚିଲେ । ସେତେବେଳେ ସେ ଗୋଟିଏ ପଟେ ବିଦ୍ୟୁତ ବଲବ୍ ଜଳୁଥିବା ଓ ଅନ୍ୟ ପଟେ ଅନ୍ଧକାରକୁ ଦେଖିଲେ । ଯେତେବେଳେ ତାଙ୍କ ଅଧିକାରୀଙ୍କ ଠାରୁ ଜାଣିବାକୁ ପାଇଲେ ଯେ, ସେହି ଗାଁରେ ଏପର୍ଯ୍ୟନ୍ତ ବିଜୁଳି ଆସିନି, ତାଙ୍କ ହୃଦୟକୁ ବହୁତ ଆଘାତ ଦେଲା । ସେ ଫଇସଲା ନେଲେ କି ବିଜୁଳି ସହିତ ଗାଁକୁ ସେ ସମସ୍ତ ସୁବିଧା ମିଳିବ, ଯାହାଠାରୁ ସେମାନେ ବଂଚିତ । ସିଆରପିଏଫ୍ ଟିମ୍ ଚାନ୍ଦା ଆଦାୟ କରି ବିଜୁଳି ଖମ୍ବ ଓ ଅନ୍ୟାନ୍ୟ ସାମଗ୍ରୀ ଆଣିଲେ । ପ୍ରଥମ ୧୦ଟି ଘରକୁ ବିଜୁଳିରେ ଆଲୋକିତ କରାଇଲେ । ଖୁବ୍ ଶୀଘ୍ର ସମଗ୍ର ଗାଁରେ ବିଜୁଳି ଆଣିବେ ଓ ଏହା ସହ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ପ୍ରାଥମିକ ସୁବିଧା ମଧ୍ୟ ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ସିଆରପିଏଫ୍ ଅଧିକାରୀ । କେବେ ଭଗବାନଙ୍କୁ ଦେଖି ନଥିବେ, ହେଲେ ତାଙ୍କ ହୃଦୟରେ ଆଜି ସିଆରପିଏଫ୍ ଅଧିକାରୀ ଓ ଯବାନଙ୍କ ସ୍ଥାନ ଭଗବାନ ଠାରୁ କମ୍ ନୁହେଁ ।