ନିର୍ବାଚନୀ ପ୍ରଚାରରେ ବାଧକ ସାଜିଛି ଖରା : ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ରାତିରେ ଜମୁଛି ଭିଡ

77

ଗତ କିଛି ଦିନ ହେଲା ୩୭ରୁ ୩୯ଡିଗ୍ରି ଭିତରେ ରହୁଥିବା ରାଜଧାନୀର ତାପମାତ୍ରା ଆଜି ୪୦ ଡିଗ୍ରି ଟିପିଛି। ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଉପରେ ଏହା ଯେପରି ଗ୍ରହଣ ସଦୃଶ ଲାଗିଯାଇଛି। ପ୍ରାର୍ଥୀମାନେ ଖରାକୁ ଖାତିରି ନକରି ପ୍ରଚାର ମଇଦାନକୁ ଓହ୍ଲାଉଥିଲେ ହେଁ ଅପରାହ୍ନ ୧ଟା ପରେ ସବୁ ଏକରକମ ଠପ୍ ହୋଇଯାଉଛି। ସକାଳେ ଶୋଭାଯାତ୍ରା ଆରମ୍ଭ ହେବାବେଳେ ନେତାଙ୍କ ସହ ଯଦିଓ ଶତାଧିକ କର୍ମୀ ରହୁଛନ୍ତି କିନ୍ତୁ ଖରା ବଢ଼ିବା ସଙ୍ଗେ ସଙ୍ଗେ ନେତାଙ୍କ ଠାରୁ କର୍ମୀ ଖାପଛଡ଼ା ହେଉଛନ୍ତି। ମଧ୍ୟାହ୍ନ ୧୨ଟା ପରେ ନେତା ୧୦ରୁ ୧୫ଜଣ କର୍ମୀଙ୍କୁ ଧରି ପ୍ରଚାର କରୁଛନ୍ତି। ନିର୍ବାଚନ ବୈତରଣୀ ପାରି ହେବାକୁ ନେତା ଖରାକୁ ଟକ୍କର ଦେବାକୁ ଚାହୁଁଥିଲେ ବି ଅପରାହ୍ନ ୧ଟା ପରେ ସବୁ ଜୋସ୍ କମିଯାଉଛି। ଫଳରେ ଅପରାହ୍ନ ୧ଟାରୁ ୪ଟା ପ୍ରଚାର ପୂରା ବନ୍ଦ କରିବାକୁ ପଡ଼ୁଛି। ଆଉ ରାତି ୧୦ରୁ ୨ଟା ପର୍ଯ୍ୟନ୍ତହିଁ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ସବୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି।

ରାଜଧାନୀରେ ଅସହ୍ୟ ତାତି ସହ ଗୁଳୁଗୁଳି ଚଳିତ ନିର୍ବାଚନରେ ଦିନ ସମୟରେ ପ୍ରଚାରକୁ ଏକରକମ ଫିକା କରିଦେଇଛି। ତେଣୁ ପ୍ରାର୍ଥୀମାନେ ପ୍ରଚାର ପାଇଁ ରାତି ସମୟରେ ଅଧିକ ପ୍ରଚାର କରୁଛନ୍ତି। ସକାଳ ୮ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଚାର କରୁଛନ୍ତି। ହେଲେ ସକାଳ ବେଳା ଯେଉଁ ୫ଘଣ୍ଟା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ସେଥିରେ ପ୍ରାର୍ଥୀଙ୍କ ଅବସ୍ଥା ସାଂଘାତିକ ହୋଇଯାଉଛି। ୫ବର୍ଷର କ୍ଷମତା ଉପଭୋଗ କରିବା ପାଇଁ ପ୍ରାର୍ଥୀ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି। ଏପରିକି ଏସି ରୁମରୁ ବାହାରୁନଥିବା ନେତା ଖରାରେ ସିଝି ସିଝି ଘରକୁ ଘର ବୁଲୁଛନ୍ତି। ଏବେ ସାଧାରଣ ସଭା କମ୍, ଘରକୁ ଘର ବୁଲି ପ୍ରଚାର ଅଧିକ ହେଉଥିବାରୁ ପ୍ରାର୍ଥୀଙ୍କ କଷ୍ଟ ଅଧିକ ବଢ଼ିଯାଉଛି। ଚାଲିଚାଲି ଗୋଡ଼ହାତ ଧରି ଯାଉଥିବାରୁ ପ୍ରାର୍ଥୀମାନେ ରାତିରେ ଦେଶୀ ଚିକିତ୍ସା ମାଧ୍ୟମରେ ନିଜକୁ ଫିଟ୍ ରଖୁଥିବା କହିଛନ୍ତି।

ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରର ବ୍ଲୁ ପ୍ରିଣ୍ଟ ରାତିରେ ହିଁ ପ୍ରସ୍ତୁତ କରୁଛନ୍ତି। ଯିଏ ଭେଟିବାକୁ ଚାହୁଁଛନ୍ତି ତାଙ୍କୁ ରାତିରେ ନିଜ କାର୍ଯ୍ୟାଳୟକୁ ଡାକୁଛନ୍ତି। ଅଫିସରେ ବସି କେଉଁ ୱାର୍ଡରେ ପ୍ରଚାର ହେବ, କେଉଁଠି ଶୋଭାଯାତ୍ରା ହେବ, କିଏ କର୍ମୀଙ୍କୁ ଡାକିବେ ସବୁ ଦାୟିତ୍ବ ବଣ୍ଟା ଯାଉଛି। ଏପରିକି ପ୍ରାର୍ଥୀଙ୍କର ଯେଉଁ ସ୍ଥାନରେ ଭଲ ସ୍ଥିତି ନାହିଁ ସେଠାରେ ଯେପରି ଅଧିକ ଭୋଟ୍ ଆସିବ ସେଥିପାଇଁ ସ୍ଥାନୀୟ ନେତାଙ୍କୁ ଡାକି ରଣନୀତି ପ୍ରସ୍ତୁତ କରୁଛନ୍ତି। ରାତିରେ ଖରାର ପ୍ରକୋପ ନଥିବାରୁ ଲୋକ କାର୍ଯ୍ୟାଳୟ ବାହାରେ ବସିକି ବି ଆଲୋଚନା କରୁଥିବା ଦେଖିବାକୁ ମିଳୁଛି।