ତେଲେଙ୍ଗାନାର ଫୋନ୍ ଅଡିଓରୁ ଓଡିଶାରେ ଝଡ ! ପୁଅ ପାଇଁ ଅଡୁଆରେ ଭକ୍ତ ଚରଣ ଦାସ ।

କଂଗ୍ରେସ ଟିକେଟ୍ ବଂଟାକୁ ନେଇ ବିବାଦ ।

186

କନକ ବ୍ୟୁରୋ : ତେଲେଙ୍ଗାନାରେ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ପାଇଁ କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ ୩ କୋଟି ଟଙ୍କା ଦାବି କରିଥିଲେ ବୋଲି ଚର୍ଚ୍ଚା ହେବା ପରେ ଆଜି ମୁହଁ ଖୋଲିଛନ୍ତି ଭକ୍ତ ଦାସ । ସେ କହିଛନ୍ତି, ଏନେଇ ସେ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି । ତାଙ୍କ ବିରୋଧରେ ଏହା ଷଡଯନ୍ତ୍ର ଏବଂ ଯଦି ଏହା ସତ ହୋଇଥାଏ, ତେବେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି । ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍ ପାଇଁ ୩ କୋଟି ଟଙ୍କା ମାଗିଥିବା ନେଇ ଏକ ଅଡିଓ କ୍ଲିପ୍ ଏବେ ଭାଇରାଲ୍ ହୋଇଛି ।

ତେଲେଙ୍ଗାନାର ଫୋନ୍ ଅଡିଓରୁ ଓଡିଶାରେ ଝଡ । କଂଗ୍ରେସ ଟିକେଟ୍ ବଂଟାକୁ ନେଇ ବିବାଦ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟ୍ ବଂଟାକୁ ନେଇ ବଡ ଧରଣର ବିବାଦ ସୃଷ୍ଟି ହୋଇଛି । ଆଉ ଏହାର ସିଧାସଳଖ ଲିଙ୍କ ଯୋଡି ହୋଇଛି ଓଡିଶା ସହ । ଅଭିଯୋଗ ହେଉଛି, ଟିକେଟ୍ ପାଇଁ ଫୋନ୍ରେ ଡିଲ୍ କରୁଥିବା ବ୍ୟକ୍ତି ହେଉଛନ୍ତି ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଦାସ । ଯିଏ ରଙ୍ଗାରେଡି ଜିଲ୍ଲା କଂଗ୍ରେସ ସଭାପତି କେ.ମାଲେଶଙ୍କୁ ଇବ୍ରାହିମ ପଟନମ ଟିକେଟ୍ ପାଇଁ ୩ କୋଟି ଟଙ୍କା ଦାବି କରୁଛନ୍ତି । ଭକ୍ତ ଦାସ ଏବେ ତେଲେଙ୍ଗାନା ପାଇଁ ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଅଛନ୍ତି । ଯାହାଙ୍କ ହାତରେ ରହିଛି ଟିକେଟ୍ ବଂଟନ ଦାୟିତ୍ୱ ।

ଆସନ୍ତା ୭ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଏହି ଅଡିଓ ଟେପକୁ ନେଇ ଜୋର୍ ଧରିଛି ତାତି । ସୋସିଆଲ ମିଡିଆ ଓ ତେଲେଙ୍ଗାନାର ସବୁ ଗଣମାଧ୍ୟମରେ ଏହି ଅଡିଓ ଘୁରି ବୁଲିଥିବା ବେଳେ କଂଗ୍ରେସ ଏବଂ ଭକ୍ତ ଦାସଙ୍କ ବିରୋଧରେ ସ୍ଲୋଗାନ ଦିଆଯାଉଛି । 

ଟିକେଟ୍ ପାଇଁ ହେଉଛି କି ଡିଲ୍? ପୁଅ ପାଇଁ ଅଡୁଆରେ ଭକ୍ତ ଚରଣ ଦାସ । ଅଡିଓ ଟେପକୁ ନେଇ ଓଡିଶାରେ ଚର୍ଚା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭକ୍ତଚରଣ ଦାସ । କହିଛନ୍ତି, ତାଙ୍କୁ ଫସାଯାଉଛି । ଅଡିଓରେ ତାଙ୍କ ପୁଅ ଥିବା ନେଇ ପ୍ରମାଣ ମିଳିଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି କହିଛନ୍ତି । ଆଉ ଏସବୁ ଭିତରେ ଭକ୍ତ ଦାସଙ୍କ ପୁଅ ଟିକେଟ୍ ପାଇଁ ଟଙ୍କା ମାଗୁଛନ୍ତି ବୋଲି ଅଭିଯୋଗ ଆଣିଥିବା କେ.ମାଲେଶ, ଇବ୍ରାହିମ ପଟନମ ଆସନରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ଲଢିବେ ବୋଲି କହିଛନ୍ତି ।