ଫସଲ ଉଜାଡିଦେଲା ଅଦିନିଆ ବର୍ଷା ! ଅମଳ ଆଗରୁ ଗଜା ହେଲା ପାଚିଲା ଧାନ, ଚିନ୍ତାରେ ଚାଷୀକୂଳ

41

କନକ ବ୍ୟୁରୋ: ଲଘୁଚାପ ବର୍ଷା ଧୋଇଦେଲା ଚାଷୀର ସ୍ୱପ୍ନ । ଗତ ବର୍ଷାରେ ଯାଜପୁର ଧର୍ମଶାଳା ବ୍ଳକରେ ବ୍ୟାପକ ଧାନ ଓ ବିରି ଫସଲ ନଷ୍ଟ ହୋଇଛି । ପାଣି ଭିତରେ ଶୋଇ ରହିଛି ପାଚିଲା ଧାନ । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।

ଫସଲ ଉଜାଡିଦେଲା ଅଦିନିଆ ବର୍ଷା ଆଉ ଅମଳ ଆଗରୁ ଜମିରେ ଗଜା ହୋଇଯାଇଛି ପାଚିଲା ଧାନ । ପାଣିରେ ବୁଡି ରହିଛି ବିରି ଫସଲ । ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଳକ ପାଟପୁର ଏବଂ ଜାରକା ପଂଚାୟତରେ ଦେଖାଦେଇଛି ଏଭଳି ପରିସ୍ଥିତି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ପାଣିରେ ବୁଡିରହିଛି ଶହଶହ ହେକ୍ଟରର ପାଚିଲା ଧାନ ଓ ବରି ଫସଲ । ଚାଷୀଙ୍କର ସବୁ ପରିଶ୍ରମକୁ ଉଜାଡି ଦେଇଛି ଅଦିନିଆ ବର୍ଷା । ତେବେ ଅମଳ ବେଳେ ୩ ଦିନର ଲଗାଣ ବର୍ଷାରେ ପାଟପୁର ପଂଚାୟତର ବହୁ ଅଂଚଳରେ ବିରି ଫସଲ ପାଣିରେ ବୁଡି ରହିଥିବା ବେଳେ ଜାରକା ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ଏବେ ଗଜା ହୋଇଯାଇଛି ।

ଅନ୍ୟପଟେ, ଲଗାଣ ବର୍ଷାରେ ଧର୍ମଶାଳା ବ୍ଳକର ୧ହଜାର ହେକ୍ଟର ଧାନ ଜମିରେ ବର୍ଷାପାଣି ଜମି ରହିଛି । ଫସଲ ନଷ୍ଟ ପରେ ପରିବାର ପ୍ରତିପୋଷଣ ଚିନ୍ତାରେ ମୁଣ୍ଡରେ ହାତ ଦେଇଛି ଚାଷୀକୂଳ । ଚାଷୀ ଚିନ୍ତାରେ ପଡିଥିବା ବେଳେ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଧର୍ମଶାଳା ତହସିଲଦାର କହିଛନ୍ତି ।