ଅଦିନିଆ ବର୍ଷାରେ ଭିଜୁଛି ଚାଷୀର ସ୍ୱପ୍ନ ! ସାରା ଓଡ଼ିଶାରୁ ଆସୁଛି ଉୁଜୁଡା ଫସଲର ଚିତ୍ର, ସ୍ଥିତି ମୁକାବିଲା ନେଇ ସମୀକ୍ଷା କଲେ ସରକାର

40

କନକ ବ୍ୟୁରୋ : ବୋଝ ଉପରେ ନଳିତା ବିଡ଼ା । ଅଦିନିଆ ବର୍ଷା, ଚାଷୀଙ୍କ ପାଇଁ ଦୟନୀୟ ପରିସ୍ଥିତି ସୃଷ୍ଟି କରିଛି । ପ୍ରଥମେ ମରୁଡ଼ି ସ୍ଥିତି, ପରେ ଚକଡ଼ା ପୋକ ଆଉ ଏବେ ଲଘୁଚାପ ବର୍ଷା । ଗୋଟିଏ ପରେ ଗୋଟିଏ ସଂକଟ ଚାଷୀଙ୍କ ସମସ୍ୟାକୁ ବଢ଼ାଇ ଦେଉଛି । ଆଉ ଏହାରି ଭିତରେ ବର୍ଷାରେ ଭିଜୁଥିବା ଫସଲକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି ଚାଷୀ ।

ଅଦିନିଆ ବର୍ଷା ଧୋଇ ଦେଇଛି ଚାଷୀର ସ୍ୱପ୍ନ । ବିଲରେ ଭିଜୁଛି ପାଜିଲା ଧାନ । ମରୁଡି ଏବଂ ଚକଡ଼ା ପୋକ ପରେ ଅଂଟା ସଳଖି ଠିଆ ହେବା ପାଇଁ ଚେଷ୍ଟା କରୁଥିବା ଚାଷୀ ପାଇଁ ଏବେ ଦାଉ ସାଧିଛି ଲଘୁଚାପ ଜନିତ ବର୍ଷା । ଧାନ କାଟି ସୁରକ୍ଷିତ ସ୍ଥାନକୁ ବୋହି ଆଣିବା ପୂର୍ବରୁ ମାଡ଼ି ଆସିଛି ବର୍ଷା । ଆଉ ଯେଉଁ ଅଳ୍ପ କିଛି ଧାନ ଖଳାକୁ ଅଣାଯାଇଛି, ତାକୁ ମଧ୍ୟ ଘୋଡେଇ ରଖି ପାରିନି ଚାଷୀ ।

ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଚଂଳର ଚାଷୀ ନିଜ ଫସଲ ବଞ୍ଚାଇବା ପାଇଁ ସଂଘର୍ଷର କରୁଛନ୍ତି । ଯେଉଁଠି ହଜାର ହଜାର ଧାନ ଚାଷ ଏମିତି ବିଲରେ ହିଁ ପଡ଼ି ରହିଛି । ଏପଟେ ବିଲରୁ ବର୍ଷା ଜଳ ନିଷ୍କାସନ ପାଇଁ ଲାଗି ପଡ଼ିଛି ଚାଷୀ, ଯେମିତି ବିଲରେ ଆଉ ବର୍ଷା ପାଣି ଜମି ରହିବନାହିଁ । କଟା ହୋଇଥିବା ଧାନକୁ ଗୋଟିଏ ସ୍ଥାନରେ ଗଦାକରି ସୁରକ୍ଷିତ ରଖିବା ପାଇଁ ଉଦ୍ୟମ ବି ଜାରି ରହିଛି । ହେଲେ ପାଣିପାଗ ବିଭାଗର ଆକଳନ, ବାଙ୍କୀ ଚାଷୀର  ଅସ୍ଥାୟୀ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ।

କେନ୍ଦ୍ରାପଡ଼ା ପାଟକୁରାରେ ବି ସୃଷ୍ଟି ହୋଇଛି ସମାନ ସ୍ଥିତି । ଅଦିନିଆ ବର୍ଷା ଦାଉରୁ ଫସଲକୁ ବଂଚାଇ ରଖିବା ଚାଷୀଙ୍କ ପାଇଁ ଚ୍ୟାଲେଂଜ୍ ସୃଷ୍ଟି ହୋଇଛି । କାହିଁକି ନା’ ଏଯାଏଁ ବିଲରେ ଅମଳ ନହୋଇ ପଡ଼ି ରହିଛି ହଜାର ହଜାର ଏକର ଧାନ । ଆଉ ଏସବୁ ଭିତରେ କୃଷି ବିଭାଗର ବସୁଛି ଘନ ଘନ ବୈଠକ । ଧାନକୁ ସୁରକ୍ଷିତ ସ୍ଥାନକୁ ଆଣିବା ନେଇ ପରାମର୍ଶ ଦେବା ସହ ଏସବୁର ତଦାରଖ କରିବା ପାଇଁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମରୁଡ଼ି ପରେ ଚକଡ଼ା ଆଉ ଏବେ ଅଦିନିଆ ବର୍ଷା । ଗଣମାଧ୍ୟମରେ ଫସଲ ନଷ୍ଟର ଖବର ଆସେ, ସରକାର କମିଟି ଗଢ଼ନ୍ତି, କ୍ଷୟକ୍ଷିତର ଆକଳନ ହୁଏ, ଆଉ ଚାଷୀ କ୍ଷତିପୂରଣ ପାଇଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ । ଆଶା କରିବା ଏହି ଅବସ୍ଥା ଅନ୍ତତଃ ଏଥର ନହେଉ ।