ଧାନ ବିଲରେ ପୋକ ଆତଙ୍କ ! କାମ କରୁନି ଔଷଧ ଜଳି ଯାଉଛି ସୁନାରେ କ୍ଷେତ, କୃଷି ବିଭାଗ ପାଖରେ କୀଟନାଶକ ନଥିବାରୁ ଚିନ୍ତାରେ ଚାଷୀ ।

51

କନକ ବ୍ୟୁରୋ : କୋକସରା ଧାନ ବିଲରେ ପୋକ ଆତଙ୍କ । ରୋଗ ପୋକ ଧାନ ଖାଇ ଯାଉଥିବା ବେଳେ କାମ କରୁନି ଔଷଧ । ଫଳରେ ସୁନାର କ୍ଷେତ ଜଳି ଯାଉଛି । ସେପଟେ ବ୍ଲକ କୃଷି ବିଭାଗ ପାଖରେ କିଟନାଶକ ନଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।

କାମ କରୁନି ଔଷଧ । ପୋକ ଖାଉଛି ସୁନାର ଫସଲ । କଳାହାଣ୍ଡି କୋକସରା ବ୍ଲକ ଚାଷୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ରୋଗପୋକ । ବ୍ଲକର ଗମ୍ଭାରୀଗୁଡା, ଲଡୁଗାଁ, କାଉଡୋଳା, ରେଙ୍ଗାଲପାଲି, ମୋଟେର, ମାଝୀଗୁଡା ଓ କୋକସରା ପଂଚାୟତର ଅଧିକାଂଶ ଚାଷ ଜମିରେ ଏବେ ରୋଗପୋକର ପାଦୁର୍ଭାବ ଦେଖିବାକୁ ମିଳିଛି । ପୋକ ଲାଗିବାରୁ ଧାନ ଧୋଡ ବାହାରିବା ସମୟରେ ଗଛ ସବୁ ପାଚି ଯାଉଛି । ତେବେ ପୋକ ଦମନ ଲାଗି ବ୍ଲକ କୃଷି ବିଭାଗ ପାଖରେ କୀଟନାଶକ ନଥିବାରୁ ଚାଷୀ ବଜାରରୁ ଔଷଧ କିଣି ପ୍ରୟୋଗ କଲେ ବି କାମ କରୁନଥିବାରୁ ଚିନ୍ତା ବଢି ଯାଇଛି ।

ବ୍ଳକରେ ମୋଟ୍ ୨୨ଟି ପଂଚାୟତରୁ ୩ ପଚାଂୟତରେ ଜଳସେଚନର ବ୍ୟବସ୍ଥା ଥିବା ବେଳେ ବାକି ୧୯ଟି ପଂଚାୟତ ଅଣ ଜଳସେଚିତ ଅଂଚଳ ଭାବେ ପରିଚିତ । ଫଳରେ ଏହି ବ୍ଳକରେ କେତେବେଳେ ଅନାବୃଷ୍ଟି ତ’ କେତେବେଳେ ଚକଡା ମାଡରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଏ । ଚଳିତ ବର୍ଷ ଧାନ ବିଲରେ ପତ୍ରପୋଡା, ମାଟିଆଗୁଣ୍ଡି ପୋକ, ବ୍ଲାଷ୍ଟ ଓ ଚକଡା ପୋକ ଲାଗି ସୁନାର ଫସଲକୁ ନଷ୍ଟ କରି ଦେଉଛନ୍ତି । ସେପଟେ ଔଷଧ ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରାଯାଇଛି, ଔଷଧ ଆସିଲେ ଚାଷୀଙ୍କୁ ଦିଆଯିବ ବୋଲି କୋକସରା ବ୍ଳକ କୃଷି ଅଧିକାରି କହିଛନ୍ତି । କୋକସରା ବ୍ଳକରେ ଖରିଫ ଋତୁରେ ମୋଟ ୧୯ ହଜାର ୩୨୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେଥିରୁ ୨ହଜାର ୩୦ ହେକ୍ଟର ଧାନ ଚାଷ ରୋଗପୋକ ଦ୍ୱାରା ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି ।