ବର୍ଷା ପରେ ବେହାଲ ସମ୍ବଲପୁରର ଧାନ ବିଲ : ଜମିରେ ପାଣି ଜମିବାରୁ ଗଜା ହେଲାନି ବିହନ, ସଢିଗଲା ତଳି

44

କନକ ବ୍ୟୁରୋ : ଲଗାଣ ବର୍ଷା ସାଙ୍ଗକୁ ବୁର୍ଲାରେ ବାଦଳ ଫଟା ବର୍ଷା ଯୋଗୁଁ ସମ୍ବଲପୁର ସହର ବନ୍ୟାରେ ଭାସିଥିବା ବେଳେ ବର୍ଷା ପରେ ଚାଷୀଙ୍କ ଦୁଃଖ ବଢିଯାଇଛି । ଜିଲ୍ଲାର ବିଭିନ୍ନ ଅଂଚଳରେ କେନାଲ ଭାଙ୍ଗି ଜମି ବାଲିଚର ହେବା ସହିତ ପାଣି ଜମି ରହିବାରୁ ବ୍ୟାପକ ଧାନ ଗଛ ନଷ୍ଟ ହୋଇଛି । ଧାନ ରୁଆ ହୋଇଥିବା ଜମିରେ ପାଣି ରହିଥିବାରୁ ଧାନ ଗଛ ଗୁଡିକ ପଚିଯାଇଛି । ଯାହାକୁ ଦେଖି ଚାଷୀ ହତାଶ ହୋଇ ପଡିଛନ୍ତି । ବାଲି ଚରି ଯାଇଥିବା ଜମିରେ ଏବର୍ଷ ଚାଷ କରିବା ଆଉ ସମ୍ଭବ ନଥିବା ବେଳେ ପାଣି ଥିବା ଜମିରେ ପୁଣି ଧାନଗଛ ଲଗାଇବା ପାଇଁ ଚିନ୍ତା କରୁଛି ଚାଷୀ । ସମ୍ବଲପୁର ଜିଲ୍ଲାରେ ୫୨ଟି ଗ୍ରାମ ପଂଚାୟତର ୨୦୪ ଗ୍ରାମ ବର୍ଷା ଯୋଗୁଁ ଧାନ ଚାଷ ପ୍ରଭାବିତ ହୋଇଛି ।

ବର୍ଷା ଛାଡି ଯାଇଛି ହେଲେ ଦୁର୍ଦ୍ଦଶା ବଢିଯାଇଛି । ବର୍ଷା ଛାଡି ଯାଇଥିବା ବେଳେ ଏବେ ବି ଚାଷ ଜମିରେ ବର୍ଷା ପାଇଁ ଜମି ରହିଛି । ବର୍ଷା ଯୋଗୁଁ ଚାଷ ଜମିରେ ବୁଣା ଯାଇଥିବା ବିହନ ଗଜା ନହୋଇ ନଷ୍ଟ ହୋଇଯାଇଥିବା ବେଳେ ତଳି ସବୁ ସଢି ଯାଇଛି । ଫଳରେ ପୁରୀ ଜିଲ୍ଲା ପିପିଲି ବ୍ଲକରେ ହେକ୍ଟର ହେକ୍ଟର ଧାନ ଚାଷ ଉଜୁଡି ଯିବାକୁ ବସିଛି । ବ୍ଲକର କୁଳଶେଖର ପଂଚାୟତ, ତେଇସପୁର, ସରସ୍ୱତୀପୁର, ଦୁର୍ଗାଦାଶପୁର, ମଙ୍ଗଳପୁର, କଂଟି, ପାଣିଦୋଳା, ଭାରତୀପୁର, ରୂପଦେଇପୁର, ଲକ୍ଷ୍ମୀନାରାୟଣପୁର ଭଳି ଅଂଚଳରେ ଚାଷ ସଂପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି । ସେପଟେ ପୁଣି ଥରେ ଚାଷ କାମ ଆରମ୍ଭ କରିବା ପାଇଁ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗଇ ଦିଆଯିବ ବୋଲି ବ୍ଲକ କୃଷି ଅଧିକାରୀ କହିଛନ୍ତି ।

ସେମିତି ପୁରୀ ଜିଲ୍ଲା ପିପିଲି, ନିମାପଡାର ବର୍ଷା ପାଣି ଏବଂ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ କଟକ ଜିଲ୍ଲା ନିଆଳି ଅଂଚଳର ବର୍ଷା ପାଣି ଓ ବନ୍ୟା ପାଣି ଗୋପ ବ୍ଲକ ଧାନୁଆ, ପଥରବୁହା ଓ କାଦୁଆ ନଦୀ ଦେଇ ସମୁଦ୍ରରେ ମିଶିଥାଏ । ପାଣି ନଦୀକୁ ଯିବା ବେଳେ ଅନେକ ଦିନ ଧରି ଧାନ ଜମିରେ ଜମି ରହିବାରୁ ଗୋପ ବ୍ଲକର ୩୧ ପଂଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ମୁଖ୍ୟତଃ ଧାନ ଚାଷ ଉଜୁଡି ଯାଇଥିବା ବେଳେ ଚାଷୀ ଆଗକୁ କଣ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।