ପାଚିଲା ଫସଲରେ ‘ପେଥାଇ’ ମାଡ: ଲଗାଣ ବର୍ଷା ଯୋଗୁଁ ନଷ୍ଟ ହୋଇଗଲା ଚାଷ ଜମି ଓ ଖଳାରେ ଥିବା ଧାନ

ବଢିଲା ଚାଷୀର ଚିନ୍ତା

98

କନକ ବ୍ୟୁରୋ: ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚାଷ ଜମି ଓ ଖଳାରେ ଥିବା ଧାନ ସବୁ ଭିଜି ନଷ୍ଟ ହୋଇଯାଇଛି । ପ୍ରଥମେ ଚକଡ଼ା ତା’ପରେ ମରୁଡ଼ି ଆଉ ଏବେ ଲଗାଣ ବର୍ଷା ସମ୍ବଲପୁର ଜିଲ୍ଲାର ଚାଷୀକୁ ବେହାଲ କରି ଦେଇଛି । ଜିଲ୍ଲାର ଅଧିକାଂଶ ଅଂଚଳରେ ବର୍ଷା ଯୋଗୁଁ ଚାଷୀର ଉତ୍ପାଦିତ ଧାନ ଫସଳ ଉଜୁଡ଼ି ଯାଇଛି । ସିନ୍ଦୁରପଙ୍କ, ଚାଉଁରପୁର, ତବଲା, ପରମାଣପୁର ଭଳି ଅଂଚଳରେ ଚାଷୀମାନେ ନିଜ ନିଜ ଜମିରେ ଧାନ କାଟି ରଖିଥିବା ବେଳେ ଏବେ ଜମିରେ ଆଣ୍ଠୁୁଏ ପାଣିର ସୁଅ ପଡିଛି ।

ଜମିରୁ ପାଣି ଶୁଖିବା ପାଇଁ ୧୦ରୁ ୧୫ ଦିନ ଲାଗିବ ବୋଲି ଚାଷୀ ଅନୁମାନ କରୁଛି । ଏପଟେ ଖଳାରେ ଥିବା ଧାନ ବି ବର୍ଷାରେ ଭିଜି ଯିବାରୁ ଗଜା ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷା ଯେ କେବଳ ଚାଷୀକୁ କନ୍ଦାଇଛି ତାହା ନୁହଁ, ବାହାର ରାଜ୍ୟରୁ ଧାନ କାଟିବାକୁ ଆସିଥିବା ଶହଶହ ଶ୍ରମିକ ବର୍ଷା ଯୋଗୁଁ କାମ କରିନପାରି ଅଟକି ରହିଛନ୍ତି ।

ଖର୍ଚ୍ଚ ଦଶ ଭାଗ, ପାଉଛନ୍ତି ଭାଗେ, ହୀନସ୍ତାରେ ପରିବା ଚାଷୀ

୫ ଗୁଣ୍ଠ ଜମିର କୋବି ଫସଲ ଗତ ବର୍ଷାରେ ଉଜୁଡି ଯାଇଥିଲା। ଏବେ ପେଥାଇ ପ୍ରଭାବରେ ପୁଣି ବର୍ଷା। ଯାହା ମିଳୁଛି ମିଳୁ କାଟି ବିକି ଦେଉଛୁ। ଏ ବର୍ଷ କୋବି ଚାଷରେ ୮ହଜାର ଟଙ୍କା ଖର୍ଚ୍ଚ କରିଥିଲି। ଗତ ପାଳି ୪ ଶହ ଟଙ୍କା ବିକିଥିଲି। ଆଜି ବି ସେଭଳି ୪ଶହ ଟଙ୍କା ହେବ। ଫସଲ ଅଜାଡ଼ି ହୋଇପଡ଼ିଥାନ୍ତା। ଏ ଅଦିନିଆ ବର୍ଷାଟା ସବୁ ଉଜାଡ଼ି ଦେଲା ଆଜ୍ଞା। ରସୁଲପୁର ବ୍ଲକ୍ ଭଗୀରଥପୁର ଗାଁର ଚାଷୀ ନାରୁ ବଜାରକୁ କୋବି ବିକିବାକୁ ଗଲା ବେଳେ ଏଭଳି ଦୁଃଖ ବଖାଣିଥିଲେ। କେବଳ ନାରୁ ନୁହନ୍ତି ଜିଲ୍ଲାର ହଜାର ହଜାର ପରିବା ଚାଷୀଙ୍କ ସମ ଦଶା। ଖର୍ଚର ଏକଦଶମାଂଶ ପାଉଛନ୍ତି ଚାଷୀ। ଏଭଳି ଅଦିନିଆ ବର୍ଷା ଚାଷୀଙ୍କ ମେରୁହାଡ଼କୁ ଭାଙ୍ଗି ଦେଇଛି।

କୋରେଇ, ରସୁଲପୁର, ଧର୍ମଶାଳା ତଥା ଯାଜପୁର ବ୍ଲକରେ ଚାଷ ହୋଇଥିବା ଶହ ଶହ ଏକର ପନିପରିବା ଫସଲ ପେଥାଇ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଭଗୀରଥପୁର ଗ୍ରାମର ଫୁଲ କୋବି ଚାଷୀ ନାରୁ ହିସାବ ଦିଅନ୍ତି ଯେ ପ୍ରଥମେ ୫ଗୁଣ୍ଠ ଫୁଲକୋବି ଲଗାଇଥିଲେ। ଗତ ବର୍ଷାରେ ବିଲରେ ପାଣି ଜମି ରହିବାକୁ ସବୁତକ ଉଜୁଡି ଯାଇଥିଲା। ସେହି କ୍ଷତି ଭରଣା କରିବା ପାଇଁ ପୁଣି ଧାର କରଜ କରି ୨ଗୁଣ୍ଠରେ କୋବି ଲଗାଇଥିଲେ। ଏଥର କୋବି ଉତୁରିଲା ବେଳକୁ ପୁଣି ପେଥାଇ ପ୍ରଭାବରେ ଅଦିନିଆ ବର୍ଷା।