ବର୍ଷା ଧୋଇଦେଲା ଚାଷୀର ବର୍ଷକ ପରିଶ୍ରମ ! ଜମିରେ ଗଜା ହେଲା ପାଚିଲା ଧାନ

40

କନକ ବ୍ୟୁରୋ : ୪ ଦିନର ଲଗାଣ ବର୍ଷା ଛାଡିଲା । ହେଲେ ଚାଷୀଙ୍କ ପାଇଁ ଛାଡିଦେଇ ଯାଇଛି ଅପୂରଣୀୟ କ୍ଷତି । ଚକଡା ଚଡ଼କ ପରେ ଚାଷୀ ମୁଣ୍ଡରେ ଏବେ ଅଦିନିଆ ବର୍ଷାର ମାଡ । ବିଲରେ ଗଜା ହେଉଛି ଏକର ଏକର ଫସଲ । ପରିବା ଫସଲ ବି ବର୍ଷାରେ ଧୋଇଯାଇଛି । ଏହାରି ଭିତରେ ଧାନର ମାନ ଖରାପ ଯୋଗୁଁ ପଶ୍ଚିମ ଓଡିଶାରେ ମଣ୍ଡିରୁ ଉଠିପାରୁନି ଧାନ । ଅଦିନିଆ ବର୍ଷା ଯୋଗୁଁ ଧାନ କିଆରିରେ ଆଂଠୁଏ ପାଣି । ୪ ଦିନର ଲଗାଣ ବର୍ଷା ସବୁ ଉଜାଡି ଦେଇଛି । ପାଚିଲା ଧାନରୁ ଗଜା ବାହାରିଲାଣି । ହେକ୍ଟର ହେକ୍ଟର ଜମିରେ ଫସଲ ପଚିଗଲାଣି । ଆଉ ଆଖି ଆଗରେ ଉଜୁଡା ଫସଲ ଦେଖି ଭାଂଗି ପଡିଛି ଚାଷୀ । ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ୍ ବଉଳଝୋଳିର ଚାଷୀ ରାଜେନ୍ଦ୍ର ଭୂୟାଁ, ନିଜ କ୍ଷେତରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବିଲରେ ଲହଡି ମାରୁଛି ବର୍ଷା ପାଣି । ଚକଡା ପୋକର ଦାଉ ପରେ ଯେତିକି ବଳିଥିଲା ସବୁ ଭାସିଯାଇଛି ଲଗାଣ ବର୍ଷାରେ । ଗଂଜାମ ଜିଲ୍ଲାର ୨୨ ଟି ବ୍ଲକ୍ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଛି । ବାଲୁଗାରେ ପାଣିରେ ଭିଜୁଛି ହେକ୍ଟର ହେକ୍ଟର ଫସଲ । ଜମିରେ ଧାନ ଫସଲ ନଇଁ ଯାଇଛି । ଆଉ ବର୍ଷା ଛାଡିବା ପରେ କିଆରିରୁ ପାଣି ବାହାର କରୁଛି ଚାଷୀ । ଯାଜପୁରରେ ମଧ୍ୟ ସମାନ ଅବସ୍ଥା । ଉତରରୁ ଉପକୂଳ, ସବୁଠି ଗୋଟିଏ ଚିତ୍ର । ବର୍ଷା ଧୋଇନେଇଛି ଚାଷୀର ସ୍ୱପ୍ନ । ଉଜାଡି ଦେଇଛି ବର୍ଷ ବର୍ଷର ପରିଶ୍ରମ ।

ଆଉ ଅସ୍ତରଂଗ ଚାଷୀଙ୍କ କଥା କହିଲେ ନସରେ । କେଉଁଠି ପାଣିରେ ବୁଡି ରହିଛି ଧାନ ଫସଲ ତ ଆଉ କେଉଁଠି ପନି ପରିବା । ବର୍ଷା ମାଡରେ ସବୁ ଧୋଇଯାଇଛି । ଅମଳ ହେବାକୁ ଥିବା ଧାନ ଜମିରେ ପଡି ଗଜା ହେଲାଣି । ଆଉ ଯିଏ ଧାନ କାଟି ଆଣିଥିଲା ତାହା ଖଳାରେ ଭିଜି ନଷ୍ଟ ହେଉଛି । ଅଦିନିଆ ବର୍ଷା କୋକସରା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଏପଟେ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି କ୍ୱିଂଟାଲ କ୍ୱିଂଟାଲ ଧାନ । ଚକଡା ଚଡକ ପରେ ଚାଷୀ ସଂଚୟ କରିଥିବା ଧାନ ବିକିବାକୁ ମଣ୍ଡିକୁ ଆଣିଥିଲା, ହେଲେ ମଣ୍ଡିରୁ ଧାନ ଉଠିପାରୁନି । ଏଫଏକ୍ୟୁ ମାନର ଧାନ ଆଣିବାକୁ ଚାଷୀଙ୍କୁ ତାଗିଦ କରୁଛି ପ୍ରଶାସନ । ଏହାରି ଭିତରେ ଚକଡା ପୋକ ଏବଂ ଲଘୁଚାପ ମାଡ ଖାଇଥିବା ଚାଷୀଙ୍କୁ ଶୋଷଣ କରୁଛି ମିଲ୍ ମାଲିକ ଓ ଦଲାଲ । ପ୍ରଥମେ ମରୁଡି ସ୍ଥିତି, ତାପରେ ଚକଡା ଦାଉ ଆଉ ଏବେ ଅଦିନିଆ ବର୍ଷା, ଚାଷୀର ମେରୁଦଂଡ ଭାଂଗି ଦେଇଛି । ଏହାରି ଭିତରେ ଚାଲିଛି କ୍ଷୟକ୍ଷତି ଆକଳନ ।