ରାଜଧାନୀ ଉପକଣ୍ଠରେ କୁମ୍ଭୀର ଆତଙ୍କ ! ଦାରୁଠେଙ୍ଗ ପଥର ଖାଦାନରେ ସାମ୍ନାକୁ ଆସିଲା ୫ଫୁଟର କୁମ୍ଭୀର, ଯନ୍ତା ବସାଇବ ବନ ବିଭାଗ ।

25

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ କୁମ୍ଭୀର ଆତଙ୍କ । ଭୁବନେଶ୍ୱର ନିକଟସ୍ଥ ଦାରୁଠେଙ୍ଗ ଗ୍ରାମରେ ଥିବା ପଥର ଖାଦାନରେ ଦେଖିବାକୁ ମିଳିଛି ମଗର ପ୍ରଜାତିର କୁମ୍ଭୀର । ଗତକାଲି କିଛି ସ୍ଥାନୀୟ ଳୋକ ନିତ୍ୟକର୍ମ କରିବାକୁ ସେଠାକୁ ଯାଇଥିବା ବେଳେ କୁମ୍ଭୀରକୁ ଦେଖିବାକୁ ପାଇଥିଲେ । ପରେ ବନବିଭାଗକୁ ଏ ନେଇ ଖବର ଦିଆଯାଇଥିଲା । ଆଜି ବନବିଭାଗ ଓ ନନ୍ଦନକାନନ କର୍ମଚାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ପଥର ଖାଦାନରେ ବର୍ଷା ପାଣି ଭର୍ତି ହୋଇଥିବାରୁ ଯନ୍ତା ବସାଇ ଏହାକୁ ଧରିବାକୁ ଉଦ୍ୟମ କରାଯିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।

କୁମ୍ଭୀର ଧରିବା ପାଇଁ ଆରମ୍ଭ ହୋଇଛି ତନାଘନା । ପଥର ଖାଦାନରେ ଜମିଥିବା ପାଣିରେ ବସିବ ଯନ୍ତା । ଯନ୍ତା ଭିତରେ ରଖାଯିବ ମାଂସ । ମାଂସ ଖାଇବାକୁ କୁମ୍ଭୀର ଯନ୍ତାକୁ ପ୍ରବେଶ କରିବା ମାତ୍ରେ ବନ୍ଦ ହେଇଯିବ ଏହି ସ୍ୱୟଂଚାଳିତ ଯନ୍ତାର ଦ୍ୱାର । ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗର ଜନବସତି ଅଂଚଳକୁ ପଶି ଆସିଥିବା ମଗର କୁମ୍ଭୀରକୁ ଧରିବା ପାଇଁ ବନବିଭାଗ କରିଛି ଏମିତି କିଛି ଯୋଜନା ।

ଚନ୍ଦକା-ଡମପଡା ଅଭୟାରଣ୍ୟରେ ଥିବା ଡେରାସ ଡ୍ୟାମରୁ ଏହି କୁମ୍ଭୀର ପଥର ଖାଦାନକୁ ଚାଲି ଆସିଥିବା ସନ୍ଦେହ କରୁଛି ବନବିଭାଗ । ତେବେ ପଥର ଖାଦାନରେ ଜଳର ଗଭୀରତାରେ ସାମଞ୍ଜସ୍ୟତା ନଥିବାରୁ ଯନ୍ତା ବସାଇ କୁମ୍ଭୀରକୁ କାବୁ କରିବାକୁ ଯୋଜନା କରାଯାଉଛି । ଜାଲ ସାହାଯ୍ୟରେ ପ୍ରଥମେ କୁମ୍ଭୀରକୁ ଧରିବାକୁ ଚିନ୍ତା କରିଥିଲେ କର୍ତୃପକ୍ଷ । କିନ୍ତୁ ଏହା ସମ୍ଭବ ନହେବାରୁ ଘଟଣାସ୍ଥଳ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବନ କର୍ମଚାରୀ । ଏପଟେ କୁମ୍ଭୀରକୁ ଦେଖିବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ନିକଟରେ ଚାଷ କରୁଥିବା ପରିବା ଚାଷୀ । ତେବେ କୁମ୍ଭୀରକୁ ଉଦ୍ଧାର କରାଯିବା ପରେ ତାକୁ କେଉଁଠାରେ ଛଡାଯିବ ତାକୁ ନେଇ ନିଷ୍ପତି ହେବ ବୋଲି କହିଛନ୍ତି ବନବିଭାଗ ଅଧିକାରୀ ।