ରାଜନଗରରେ କୁମ୍ଭୀର ଆତଙ୍କ ! ୪୮ ଘଣ୍ଟା ମଧ୍ୟରେ ଜଣେ ମୃତ ଓ ଜଣେ ଗୁରୁତର ।

33

୪୮ ଘଣ୍ଟାରେ ରାଜନଗରବାସୀ ଛାନିଆ । କାରଣ ମାତିଛି ମଣିଷଖିଆ ବଉଳା କୁମ୍ଭୀର । ଦୁଇଦିନ ମଧ୍ୟରେ ୨ ଜଣ ଯୁବକଙ୍କୁ ଆକ୍ରମଣ କରିଛି ବଉଳା କୁମ୍ଭୀର । ଫଳରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ରାଜନଗର ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ବନବିଭାଗ ଏନେଇ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସୁଚନା ମୁତାବକ ଗତ କାଲି ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗ୍ରାମର ଶରତ ମଲ୍ଲିକ ବ୍ରାହ୍ମଣୀ ନଦୀ କୂଳକୁ ଅପରାହ୍ନ ସମୟରେ ଶୌଚ ହେବାକୁ ଯାଇଥିବା ସମୟରେ ନଦୀରେ ଛପି ରହିଥିବା କାଳରୂପୀ କୁମ୍ଭୀର ଝାମ୍ପ ମାରିଥିଲା ଶରତଙ୍କ ଉପରକୁ । କେହି କିଛି ଜାଣିବା ପୂର୍ବରୁ ଶରତଙ୍କୁ କୁମ୍ଭୀର ମଝି ନଇକି ଟାଣିନେଇ ଯାଇଥିଲା ।

୨୯ ତାରିଖ ସନ୍ଧ୍ୟା ସମୟରେ ରାଜନଗର ବ୍ଲକ ବେଲପାଳ ଗ୍ରାମର କୈଳାସ ସେଠୀ ବ୍ରାହ୍ମଣୀ ନଦୀ କୂଳରେ ଧୋଇ ହୋଉଥିବା ବେଳେ ହଠାତ ତାଙ୍କୁ ଆକ୍ରମଣ କରିଥିଲା ବଉଳା କୁମ୍ଭୀର । କୈଳାସଙ୍କ ଡାହାଣ ଗୋଡକୁ କାମୁଡି ପାଣି ଭିତରକୁ ନେବାକୁ ପ୍ରୟାସ କରୁଥିବାବେଳେ କୈଳାସଙ୍କ ଚିକ୍ରାର ଶୁଣି ଗାଁ ଲୋକେ ପହଁଚି କଳେବଳେ କୌଳାସଙ୍କୁ ଉଦ୍ଦାର କରିଥିଲେ । ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଯାଉଛି ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ବର୍ତ୍ତମାନ କୁମ୍ଭୀର ପ୍ରଜନନ ଋତୁ ହୋଇଥିବାରୁ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି । ଏନେଇ ବନ ବିଭାଗ ସଚେତନ କରାଇବା କଥା ହେଲେ ଏନେଇ କୌଣସି ନିଘା ନାହିଁ ବନ ବିଭାଗର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସି ।