କୁମ୍ଭୀର ଆଁରୁ ଫେରିଲା ଜୀବନ: ପାଣି ମଝିରେ ମଣିଷ-କୁମ୍ଭୀର ଲଢେଇ ପରେ କୁମ୍ଭୀର ପାଟିରୁ ଫେରିଲେ ଯୁବକ

1,477

କନକ ବ୍ୟୁରୋ: ପୁଣି କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ । ମଝି ନଇରେ କୁମ୍ଭୀର ପାଟିରେ ମଣିଷ । ନଦୀରେ ଗାଧୋଉଥିବା ବେଳେ ମଇଷକୁ ଟାଣିନେଲା କୁମ୍ଭୀର । ଆଉ ପାଣି ଭିତରକୁ ଟାଣିନେବା ପରେ ଚାଲିଲା ମଣିଷ-କୁମ୍ଭୀର ଲଢେଇ ।

ମହାକାଳପଡା ବ୍ଲକ ଜାଲକଣା ଗାଁର ଯୁବକ ଭଜକୃଷ୍ଣ ପ୍ରଧାନ ଗୋବରୀ ନଦୀରେ ଗାଧୋଉଥିବା ସମୟରେ କୁମ୍ଭୀର ହାବୁଡରେ ପଡିଗଲେ । ଭଜକୃଷ୍ଣଙ୍କ ବାମଗୋଡକୁ ଟାଣି ଧରିଥିଲା କୁମ୍ଭୀର । ସେ ଚିକ୍ରାର କରିବାରୁ ଦୁଇଜଣ ସମ୍ପର୍କୀୟ ଯୁବକଙ୍କ ଦୁଇ ହାତକୁ ଧରି ଟାଣିବାକୁ ଚେଷ୍ଟା କରିଥିଲେ ।

ଆଉ ତା ପରେ ପାଣି ଭିତରେ କୁମ୍ଭୀର ମୁହଁରୁ ଭଜକୃଷ୍ଣଙ୍କୁ ବଂଚାଇବା ପାଇଁ ଚାଲିଲା ଜୋରଦାର ଉଦ୍ୟମ । କିଛି ସମୟ ଟଣାଓଟରା ପରେ କୁମ୍ଭୀର ଯୁବକଙ୍କୁ ଛାଡି ପଳାଇଥିଲା । ଗୁରୁତର ଆହତ ଭଜକୃଷ୍ଣଙ୍କୁ ହସ୍ପିଟାଲ ନିଆଗଲା । ଆଉ ଭଜକୃଷ୍ଣଙ୍କ ବାମ ଗୋଡରେ ପଡିଛି ୧୨ଟି ଷ୍ଟିଚ ।

ପୁଅର ବାଟକୁ ଅନାଇ ବସିଥିବା ମା ଟିକେ ଆଶ୍ୱସ୍ତ । ଦାଦା ଓ ଭାଈର ଉଦ୍ୟମରେ ପୁଅର ଜୀବନ ବଂଚିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଭିତରକନିକାରେ ଯେବେଠାରୁ କୁମ୍ଭୀର ଟିହ୍ନଟ ପ୍ରକ୍ରିୟା ଆରମ୍ଭ ହେଲା, ସେବେଠାରୁ ଏଯାଏଁ ୫୦ରୁ ୬୦ଜଣଙ୍କ ମୃତ୍ୟୁ କୁମ୍ଭୀର ଆକ୍ରମଣରେ ହୋଇଛି ।

ପ୍ରତିବର୍ଷ ପ୍ରାୟ ୬ରୁ ୭ଜଣ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି । ହେଲେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି । କୁମ୍ଭୀର କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଠୋସ ପଦକ୍ଷେପ ନିଆଯାଇନଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସମାଧାନର ବାଟ ବାହାରିପାରିନାହିଁ ।