ଜନବସତି ମୁହାଁ କୁମ୍ଭୀର । ଲୋକେ ଆତଙ୍କିତ

30

କନକ ବ୍ୟୁରୋ: ଜନବସତି ମୁହାଁ କୁମ୍ଭୀର, ଲୋକେ ଆତଙ୍କିତ । ମହାକାଳପଡା ବ୍ଲକର ନଦୀକୂଳିଆ ଗ୍ରାମ ଗୁଡିକରେ ଦେଖାଦେଇଛି ଏହି ଆତଙ୍କ । ଲଗାତାର ଜନବସତି ଅଂଚଳରୁ କୁମ୍ଭୀର ଉଦ୍ଧାର ହେବା ଘଟଣା ଲୋକଙ୍କର ନିଦ ହଜାଇ ଦେଇଛି । ସୋମବାର ପୁଣି ଖରନାସି ପଂଚାୟତର ହରିଆବାଙ୍କ ପାଲୁରାମଙ୍କ ପୋଖରୀରେ ଏକ ୧୨ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି ।

ପୋଖରୀକୁ ପାଲୁରାମଙ୍କ ପୁଅ ଶୌଚ ହେବାକୁ ଯାଇଥିବା ସମୟରେ କୁମ୍ଭୀରକୁ ପୋଖରୀରେ ଦେଖି ଡାକ ପକାଇଥିଲେ । ଏହାପରେ ଗ୍ରାମବାସୀ ଏବଂ ବନ ବିଭାଗ ମିଳିତ ଭାବରେ କୁମ୍ଭୀରକୁ ଧରିଥିଲେ । ବନବିଭାଗର କର୍ମଚାରୀମାନେ କୁମ୍ଭୀରକୁ ନେଇ କଂଟିଆ ନାଳରେ ଛାଡି ଦେଇଛନ୍ତି । ତେବେ ଖାଦ୍ୟ ଅଭାବ କାରଣରୁ କୁମ୍ଭୀରମାନେ ଜନବସତି ମୁହାଁ ହେଉଛନ୍ତି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । ଗତ କିଛି ଦିନ ହେଲା ବାରମ୍ବାର ଏଭଳି ଘଟଣା ଘଟୁଛି ଯାହା ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି ।