ଜଳଭଣ୍ଡାରରୁ ଉଠି ଆସିଲା ଜଳ ରାକ୍ଷସ ! ରାତି ଅଧରେ ଘର ଦୁଆର ମୁହଁରେ ବିରାଟ କୁମ୍ଭୀରକୁ ଦେଖି ଆତଙ୍କ

68

କନକ ବ୍ୟୁରୋ : ଘର ଭିତରେ ଦୁଇ ଶିଶୁ ଆଉ ଘର ବାହାରେ ଜଗି ରହିଥିଲା ବିଶାଳ କୁମ୍ଭୀର । ଏହା କୌଣସି ହଲିଉଡ୍ ସିନେମାର କାହାଣୀ ନୁହେଁ । ଏଭଳି ଘଟଣା ଘଟିଛି ମାଲକାନଗିରିରେ । ସତିଗୁଡା ଜଳଭଣ୍ଡାରରୁ ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଗାଁକୁ ପଶି ଆସିବା ପରେ ଜଣଙ୍କ ଘର ଅଗଣା ଭିତରକୁ ଚାଲି ଆସିଥିଲା କୁମ୍ଭୀର । ଏହି ଘଟଣା ପରେ ଆଖ ପାଖ ଅଂଚଳରେ ଏବେ ଭୟର ବାତାବରଣ ଖେଳିଯାଇଛି ।

ରାତିର ବିଳମ୍ବିତ ପହରରେ ହଠାତ ଘର ମାଲିକଙ୍କ ଦୃଷ୍ଟି ପଡିଗଲା ଦୁଆର ମୁହଁ ଆଡେ । ଯାହା ଦେଖିଲେ, ଭୟରେ ଶିହରୀ ଉଠିଲେ । ଦୁଆର ମୁହଁରେ ଥିଲା ଏକ ବିରାଟ କୁମ୍ଭୀର । ସତିଗୁଡା ଜଳ ଭଣ୍ଡାର ନିକଟ ମୁନସା ଗାଁ ରେ ଗତକାଲି ବିଳମ୍ବିତ ରାତିରେ ପଶି ଆସିଥିଲା ଏକ ମସ୍ତବଡ଼ ୧୨ ଫୁଟିଆ କୁମ୍ଭୀର । ଗାଁର ଦଶରଥ ମାଡକାମି ଘର ଅଗଣାରେ ଶୋଇଥିବା ବେଳେ ହଠାତ ଏକ କୁମ୍ଭୀରକୁ ଦେଖି ଚମକି ଉଠି ଥିଲେ । କବାଟ ଠେଲି ଘର ଭିତରକୁ ପଶିବାକୁ କୁମ୍ଭୀର ଉଦ୍ୟମ କରୁଥିବା ଦେଖି ଭୟଭୀତ ହୋଇ ପଡିଥିଲେ ଦଶରଥ । କାରଣ ଘର ଭିତରେ ଥିଲେ ଶୋଇଥିଲେ ଦୁଇ ଜଣ ଛୋଟ ପିଲା । କୁମ୍ଭୀରଟି କବାଟ ମୁହଁରେ ଥିବା ଦେଖି କୌଣସି ଉପାୟ ନ ପାଇ ଘର ଆଜବେଷ୍ଟ ଛାତ କାଢ଼ି ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଥିଲେ ଦଶରଥ ।

ରାତି ପାଇବା ପରେ ଗାଁ ଲୋକ କୁମ୍ଭୀରକୁ କାବୁ କରିଥିଲେ । ସତିଗୁଡା ଜଳ ଭଣ୍ଡାରରେ କୁମ୍ଭୀର ଥିବା ନେଇ ପୂର୍ବରୁ କେହି ଅନୁମାନ କରି ନଥିଲେ । ଏପରି ଏକ ବିଶାଳ କୁମ୍ଭୀରକୁ ଦେଖିବା ପାଇଁ ପାଖ ଆଖ ଗାଁ ଲୋକଙ୍କ ଭିଡ ଜମି ଥିଲା । ବନ ବିଭାଗ ଖବର ପାଇବା ପରେ ଏକ ଜନ୍ତା ସାହାଯ୍ୟରେ କୁମ୍ଭୀରକୁ ଉଦ୍ଧାର କରିଥିଲା । ପୂର୍ବରୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ କୁମ୍ଭୀର ଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଆସିଛି । ତେବେ ସତିଗୁଡା ଜଳଭଣ୍ଡାରରେ କୁମ୍ଭୀର ଥିବା ଜଣାପଡିବା ପରେ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା ।