ନଇକୂଳିଆଙ୍କ ଚିନ୍ତା ବଢାଇଲା କୁମ୍ଭୀର ! ଭିତରକନିକାରେ ବଢି ଚାଲିଛି କୁମ୍ଭୀରଙ୍କ ବସା, ରାଜକନିକାରେ ସର୍ବାଧିକ ୮୪, ରାଜନଗରରେ ୧୩ ଓ ଗହିରମଥାରେ ୩ଟି ବସା ଚିହ୍ନଟ

33

କନକ ବ୍ୟୁରୋ: ଚଳିତ ବର୍ଷ ବିଶ୍ୱପ୍ରଶିଦ୍ଧ ଭିତରକନିକାରେ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । କୁମ୍ଭୀରଙ୍କ ବସା ସଂଖ୍ୟା ବଢିଥିବାରୁ ବନ ବିଭାଗ ଖୁସି ଜାହିର କରିଛି । ହେଲେ ଚିନ୍ତାରେ ପଡିଯାଇଛନ୍ତି ନଇକୂଳିଆ ବାସିନ୍ଦା । କେନ୍ଦ୍ରାପଡା ଜିଲ୍ଲା ଆଳି, ରାଜନଗର, ପଟ୍ଟାମୁଣ୍ଡାଇ, ମହାକାଳପଡାରେ କୁମ୍ଭୀର ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି । ଲଗାତର ଭାବେ କୁମ୍ଭୀର ଆକ୍ରମଣରେ କେହି କେହି ଗୁରୁତର ହେଉଥିବା ବେଳେ କାହାର ଜୀବନ ଯାଉଛି ।

ଗତ ଦୁଇ ଦିନ ମଧ୍ୟରେ ବ୍ରହ୍ମଣୀ ନଦୀରେ ଦୁଇ ଜଣଙ୍କୁ କୁମ୍ଭୀର ଆକ୍ରମଣ କରିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତି ହୋଇଛନ୍ତି । ଏତିକି ବେଳେ ଭିତରକନିକାରେ କୁମ୍ଭୀରଙ୍କ ବସା ବଢିଥିବାରୁ ବନ ବିଭାଗ ଖୁସି ବ୍ୟକ୍ତ କରିଛି । ଚଳିତ ବର୍ଷ ଆଶାନୁରୁପ କୁମ୍ଭୀର ବସା ବୃଦ୍ଧି ପାଇଛି । ଗତବର୍ଷ କୁମ୍ଭୀର ବସା ମୋଟ ୮୦ ଥିବା ବେଳେ ଏ ବର୍ଷ କୁମ୍ଭୀରଙ୍କ ବସା ସଂଖ୍ୟା ୧୦୧ରେ ପହଂଚିଛି ।

ରାଜକନିକା ରେଂଜରେ ସର୍ବାଧିକ ୮୪ଟି, ରାଜନଗର ରେଂଜରେ ୧୩ଟି, ଗହିରମଥାରେ ୩ଟି ଥିବା ବେଳେ ମହାକାଳପଡାରେ ଗୋଟିଏ ବସା ଚିହ୍ନଟ କରାଯାଇଛି । କୁମ୍ଭୀରଙ୍କ ବସା ସଂଖ୍ୟା ବଢିଥିବା ବେଳେ ଚଳିତବର୍ଷ ନଇକୂଳିଆ ଲୋକଙ୍କ ପାଇଁ ବନବିଭାଗ ମାତ୍ର ୪ଟି ଗାଧୁଆ ତୁଠ କରିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।