ଜଳକୁ ଫେରିଲା ଜଳ ରାକ୍ଷାସ । ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛଡା ହେଲା ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର

26

କନକ ବ୍ୟୁରୋ : ମାଲକାନଗିରି ମୁନସା ଗାଁରୁ ଉଦ୍ଧାର ହୋଇଥିବା କୁମ୍ଭୀରକୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଛାଡି ଦିଆଯାଇଛି । ଆଜି ବନବିଭାଗ କୁମ୍ଭୀରର ସ୍ୱାସ୍ଥ୍ୟବସ୍ଥା ଯାଂଚ କରିଥିଲା । ଏହାପରେ ଡିଏଫଓଙ୍କ ଉପସ୍ଥିତିରେ କୁମ୍ଭୀରକୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଛାଡିଥିବା ବନ ବିଭାଗ । ମଙ୍ଗଳବାର ବିଳମ୍ବିତ ରାତିରେ ମୁନସା ଗାଁରେ ଧରାପଡିଥିଲା ୧୦ ଫୁଟିଆ କୁମ୍ଭୀର । ସତୀଗୁଡା ଡ୍ୟାମରୁ ଆସିଥିବା ଏହି କୁମ୍ଭୀରକୁ ପୁଣି ସତୀଗୁଡା ଡ୍ୟାମରେ ନ ଛାଡିବାକୁ ଜିଦ ଧରିଥିଲେ ଗ୍ରାମବାସୀ । ତେଣୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ କୁମ୍ଭୀରକୁ ଛାଡିବା ପାଇଁ ନିଷ୍ପତି ନିଆଯାଇଥିଲା । ଅନ୍ୟପଟେ ସତୀଗୁଡା ଜଳ ଭଣ୍ଡାରରେ କୁମ୍ଭୀର ଗଣନା ହେବ ବୋଲି କହିଛନ୍ତି ମାଲକାନଗିରି ଡିଏଫଓ ।

ସତିଗୁଡା ଜଳ ଭଣ୍ଡାର ନିକଟ ମୁନସା ଗାଁ ରେ ଗତକାଲି ବିଳମ୍ବିତ ରାତିରେ ପଶି ଆସିଥିଲା ଏକ ମସ୍ତବଡ଼ ୧୨ ଫୁଟିଆ କୁମ୍ଭୀର । ଗାଁର ଦଶରଥ ମାଡକାମି ଘର ଅଗଣାରେ ଶୋଇଥିବା ବେଳେ ହଠାତ ଏକ କୁମ୍ଭୀରକୁ ଦେଖି ଚମକି ଉଠି ଥିଲେ । କବାଟ ଠେଲି ଘର ଭିତରକୁ ପଶିବାକୁ କୁମ୍ଭୀର ଉଦ୍ୟମ କରୁଥିବା ଦେଖି ଭୟଭୀତ ହୋଇ ପଡିଥିଲେ ଦଶରଥ । କାରଣ ଘର ଭିତରେ ଥିଲେ ଶୋଇଥିଲେ ଦୁଇ ଜଣ ଛୋଟ ପିଲା । କୁମ୍ଭୀରଟି କବାଟ ମୁହଁରେ ଥିବା ଦେଖି କୌଣସି ଉପାୟ ନ ପାଇ ଘର ଆଜବେଷ୍ଟ ଛାତ କାଢ଼ି ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଥିଲେ ଦଶରଥ ।

ରାତି ପାହିବା ପରେ ଗାଁ ଲୋକ କୁମ୍ଭୀରକୁ କାବୁ କରିଥିଲେ । ସତିଗୁଡା ଜଳ ଭଣ୍ଡାରରେ କୁମ୍ଭୀର ଥିବା ନେଇ ପୂର୍ବରୁ କେହି ଅନୁମାନ କରି ନଥିଲେ । ଏପରି ଏକ ବିଶାଳ କୁମ୍ଭୀରକୁ ଦେଖିବା ପାଇଁ ପାଖ ଆଖ ଗାଁ ଲୋକଙ୍କ ଭିଡ ଜମି ଥିଲା । ବନ ବିଭାଗ ଖବର ପାଇବା ପରେ ଏକ ଜନ୍ତା ସାହାଯ୍ୟରେ କୁମ୍ଭୀରକୁ ଉଦ୍ଧାର କରିଥିଲା । ପୂର୍ବରୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ କୁମ୍ଭୀର ଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଆସିଛି । ତେବେ ସତିଗୁଡା ଜଳଭଣ୍ଡାରରେ କୁମ୍ଭୀର ଥିବା ଜଣାପଡିବା ପରେ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା ।