ଫିଫା ବିଶ୍ୱକପ ଫାଇନାଲରେ ଫ୍ରାନ୍ସ ଓ କ୍ରୋଏସିଆ ! ରବିବାର ହେବ କଡା ଟକ୍କର, କିଏ ମାରିବ ବାଜି ?

43

କ୍ରୋଏସିଆ ଶେଷରେ କମାଲ କଲା । ୬୭ ମିନିଟ୍ ଧରି ପଛୁଆ ରହିବା ପରେ ନିର୍ଧାରିତ ୯୦ ମିନିଟ୍ ଖେଳକୁ ୧-୧ରେ ଶେଷ କଲା । ହେଲେ ଅତିରିକ୍ତ ସମୟରେ ବାଜି ମାରି ନେଲା । ୧୦୯ ମିନିଟରେ ମାରିଓ ମଣ୍ଡଜୋକିକଙ୍କ ଗୋଲ୍ ବଳରେ ହିଁ ପ୍ରଥମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କଲା । ବୁଧବାର ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ରବିବାରର ଫ୍ରାନ୍ସ ବିପକ୍ଷ ମେଗାଫାଇନାଲ ପାଇଁ ଟିକେଟ ହାସଲ କରିନେଲା । ଚଳିତ ବିଶ୍ୱକପରେ ଲଗାତାର ତୃତୀୟ ଥର ପାଇଁ ଅତିରିକ୍ତ ସମୟରେ ବିଜୟୀ ହେବା ସହ କ୍ରମାଗତ ଷଷ୍ଠ ବିଜୟ ହାସଲ କଲା । ବିଶ୍ୱକପର ଫାଇନାଲରେ ପହଞ୍ଚିବାରେ କ୍ରୋଏସିଆ ତ୍ରୟୋଦଶ ଦେଶ ହୋଇଥିଲା । ଦୀର୍ଘ ୨୪ ବର୍ଷର ବ୍ୟବଧାନ ପରେ ସେମିଫାଇନାଲ୍ ଯାଇଥିବା କ୍ରୋଏସିଆ ବୁଧବାର ଅତିରିକ୍ତ ସମୟରେ ବିଜୟ ଛଡ଼ାଇନେଲା ।

ପରେ ଇଂଲଣ୍ଡର ଦ୍ୱିତୀୟ ଥର ବିଶ୍ୱକପ୍ ଜିତିବା ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ୧୯୬୬ ବିଜେତା ଇଂଲଣ୍ଡ ଏଣିକି ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ବେଲଜିୟମର ମୁକାବିଲା କରିବ । ମଙ୍ଗଳବାର ପୂର୍ବ ବିଜେତା ଫ୍ରାନ୍ସ ୧-୦ ଗୋଲରେ ବେଲଜିୟମକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା ଉଭୟ ସେମିଫାଇନାଲରେ ପରାଜିତ ହୋଇଥିବା ବେଲଜିୟମ ଏବଂ ଇଂଲଣ୍ଡ ଶନିବାର ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ମୁକାବିଲା କରିବେ। । ଆଜି ମ୍ୟାଚର ପଞ୍ଚମ ମିନିଟରେ ଇଂଲଣ୍ଡ କିରନ ଟ୍ରିପିୟରଙ୍କ ଗୋଲ୍ ବଳରେ ଆଗୁଆ ହୋଇଥିଲା । କ୍ରୋଏସିଆ ୬୮ ମିନିଟରେ ଇଭାନ ପେରିସିକଙ୍କ ଗୋଲ୍ ବଳରେ ଏହାକୁ ଶୁଝି ଦେଇଥିଲା । ଅତିରିକ୍ତ ସମୟର ୧୯ ମିନିଟରେ ମଣ୍ଡଜୋକିକ ବିଜୟ ସୂଚକ ଗୋଲ୍ ଦେଇଥିଲେ । କ୍ରୋଏସିଆ ଦୁଇ ଦଶନ୍ଧି ଏବଂ ଇଂଲଣ୍ଡ ପାଖାପାଖି ତିନି ଦଶନ୍ଧି ପରେ ସେମିଫାଇନାଲ୍ ଯାଇଥିବାରୁ ଏହି ପ୍ରତୀକ୍ଷିତ ଲଢ଼େଇ ଆରମ୍ଭରୁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା ।

ପ୍ରଥମ ପାଞ୍ଚ ମିନିଟ୍ ଭିତରେ ଗୋଲ୍ କରି ଇଂଲଣ୍ଡ ଏହି ଆଶାକୁ ପୂରଣ ବି କରି ଦେଇଥିଲା । ବକ୍ସ ଧାରରେ କ୍ରୋଏସିଆର ତାରକା ଖେଳାଳି ଲୁକା ମୋଡ୍ରିକ୍ ଇଂଲଣ୍ଡର ଡେଲେ ଆଲିଙ୍କୁ ଫାଉଲ୍ ମାରି ତଳେ ପକାଇ ଦେଇଥିଲେ । ଫଳରେ ରେଫରି ବିନା ଦ୍ୱିଧାରେ ଇଂଲଣ୍ଡକୁ ମ୍ୟାଚର ପ୍ରଥମ ଫ୍ରିକିକ୍ ପ୍ରଦାନ ଦେଇଥିଲେ । ଯାହାକୁ ସଫଳତାର ସହ ଗୋଲରେ ରୂପାନ୍ତର କରି କିରନ ଟ୍ରିପିୟର ଇଂଲଣ୍ଡକୁ ଆଗୁଆ କରି ଦେଇଥିଲେ । ସଟ୍ ମାରିଲା ବେଳେ କ୍ରୋଏସିଆ ଖେଳାଳିମାନେ ତାଙ୍କ ସାମନାରେ ପାଚେରି ଭଳି ଠିଆ ହୋଇଥିଲେ । ହେଲେ ଅତି ଚତୁରତାର ସହ ସେମାନଙ୍କ ମୁଣ୍ଡ ଉପରେ ବଲକୁ ଗୋଲ୍ ପୋଷ୍ଟର ଡାହାଣ ପଟ କୋଣକୁ ପଠାଇ ଟ୍ରିପିୟର ଇଂଲଣ୍ଡର ନୂଆ ନାୟକ ଭାବେ ଉଭା ହୋଇଥିଲେ । ଏହା ମଧ୍ୟ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ଥିଲା । ତାଙ୍କ ଗୋଲ୍ ମଧ୍ୟ ଇଂଲଣ୍ଡର ମହାନ ଖେଳାଳି ଡେଭିଡ୍ ବେକହାମଙ୍କ କଳା କୌଶଳକୁ ମନେ ପକାଇ ଦେଇଥିଲା । ଇଂଲଣ୍ଡ ପଞ୍ଚମ ମିନିଟରେ ଆଗୁଆ ହେବା ପରେ କ୍ରୋଏସିଆ ଉପରେ ଆରମ୍ଭରୁ ଚାପ ପଡ଼ି ଯାଇଥିଲା । ଅଧଘଣ୍ଟାଏ ପର୍ୟ୍ୟନ୍ତ ସଂଘର୍ଷ କରିବା ପରେ ବଳକା ୧୫ ମିନିଟରେ ନିଜ ଖେଳର ସ୍ତର ବଢ଼ାଇବା ସତ୍ତ୍ୱେ ଟ୍ରିପିୟରଙ୍କ ଗୋଲକୁ କିନ୍ତୁ ଶୁଝି ପାରି ନଥିଲା । ଫଳରେ ଇଂଲଣ୍ଡ ପ୍ରଥମାର୍ଧ ଶେଷ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା ।

ଦ୍ୱିତୀୟାର୍ଧରେ କ୍ରୋଏସିଆ ଗୋଲ୍ ରକ୍ଷକ ଡାନିଗେଲ୍ ସୁବାସିକ ଇଂଲଣ୍ଡର ଏକାଧିକ ପ୍ରୟାସକୁ ନିଷ୍ଫଳ କରିଦେଇଥିଲେ । ଏହି ଦେଶର ଅଗ୍ରଭାଗ ଖେଳାଳିମାନେ ମଧ୍ୟ ନିଜର ସବୁ ବଳ ଖଟାଇ ଦେଇଥିଲେ । ଶେଷରେ ୬୮ ମିନିଟରେ ଇଭାନ ପେରିସିକ୍ କ୍ରୋଏସିଆକୁ ବହୁ ପ୍ରତୀକ୍ଷିତ ଗୋଲ୍ ଉପହାର ଦେଇଥିଲେ । ଫଳରେ ସ୍ଥିତି ୧-୧ ହୋଇ ଯାଇଥିଲା । ସିମେ ଭର୍ସାଲଜିକୋଙ୍କ ପାସକୁ ଡାହାଣ ପାଦରେ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ସେ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ । ବଳକା ୨୨ ମିନିଟ୍ରେ ଉଭୟ ଦଳ ପରୁ ପର୍ୟ୍ୟନ୍ତ ଚେଷ୍ଟା କରିବା ସତ୍ତ୍ୱେ ଗୋଲ୍ କରିବାରେ ସଫଳ ହୋଇ ନଥିଲେ । ସେଥିପାଇଁ ନିର୍ଧାରିତ ୯୦ ମିନିଟ୍ ଖେଳରେ ଏହି ସ୍ଥିତି ଅପରିବର୍ତିତ ରହିବା ପରେ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା । ଅତିରିକ୍ତ ସମୟର ପ୍ରଥମାର୍ଧରେ କୌଣସି ଗୋଲ୍ ହୋଇ ନଥିଲା । ହେଲେ ଦ୍ୱିତୀୟାର୍ଧ ଆରମ୍ଭରୁ କ୍ରୋଏସିଆ କମାଲ କରିଥିଲା। ୧୦୯ ମିନିଟରେ ମାରିଓ ମଣ୍ଡଜୋକିକଙ୍କ ଗୋଲ୍ ବଳରେ ଆଗୁଆ ହୋଇ ଯାଇଥିଲା । ଶେଷରେ ୨-୧ରେ ବିଜୟୀ ହୋଇ ଇତିହାସ ରଚିଥିଲା ।