ବାଙ୍କୀକୁ ବୁଡ଼ାଇଲା ମହାନଦୀ ବନ୍ୟା, ପାଣି ଘେରରେ ତଳିଆ ଅଂଚଳ । ଉଜୁଡି ଗଲା ଶହ ଶହ ଏକର ଫସଲ, ଏପଟେ ଡେପୁଡି ଏସଆରସି କହିଲେ, ଟଳିଛି ବନ୍ୟା ସଙ୍କଟ ।

707

କନକ ବ୍ୟୁରୋ : ହୀରାକୁଦ ପାଣି ମହାନଦୀର ତଳ ମୁଣ୍ଡରେ ପହଁଚିବା ପରେ ତଳ ମୁଣ୍ଡରେ ଉତ୍କଟ ହୋଇଛି ବନ୍ୟା ସ୍ଥିତି । ବିଶେଷ କରି କଟକର ବାଙ୍କି, ତିଗିରିଆର ବିଭିନ୍ନ ଗାଁରେ ପାଣି ପଶି ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲା ଦେଇ ଯାଇଥିବା ମହାନଦୀର ଶାଖାନଦୀ ଲୁଣା, କରାଣ୍ଡିଆ ଫୁଲିବା ଫଳରେ ଶହ ଶହ ହେକ୍ଟର ଜମିରେ ପରିବା ଫସଲ ନଷ୍ଟ ହୋଇଛି ।

ବାଙ୍କୀରେ ଉତ୍କଟ ହୋଇଛି ବନ୍ୟାସ୍ଥିତି । ମହାନଦୀ ଫୁଲୁଥିବା ବେଳେ ଧୀରେ ଧୀରେ ବଢ଼ୁଛି ବନ୍ୟାଜଳ । ପ୍ରାୟ ୨୦ଟି ପଂଚାୟତ ଏବେ ପାଣିଘେରରେ ରହିଛି । ଯେଉଁଥିରେ ପ୍ରାୟ ୪୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । କୁସପଙ୍ଗି-ବାଙ୍କୀ ଆପ୍ରୋଚ ରୋଡ ପାଣିରେ ପୁରା ଧୋଇଯାଇଥିବା ବେଳେ ବୈଦେଶ୍ୱର-ବାଙ୍କୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଭଳି ସ୍ଥିତିରେ ପ୍ରଶାସନ ତରଫରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ଏପଟେ କଟକ ଜିଲ୍ଲାର ତଳି ଅଂଚଳରେ ବି ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ତିଗିରିଆ ବ୍ଲକର ବିଭିନ୍ନ ଗାଁରେ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକ । ହୀରାକୁଦ ଗେଟ୍ ଖୋଲିବା ପରେ ବନ୍ୟାର ଭୟ ଏବେ ଆହୁରି ବଢ଼ି ଯାଇଛି । ଚଷାହରା ଗାଁ ଚାରି ପଟେ ପାଣି ହୋଇଯାଇଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୋଟର ଲଂଚରେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରାଯାଇଛି । ଲୋକଙ୍କୁ ଆଶ୍ରୟସ୍ଥଳିରେ ରଖାଯାଇଥିବା ବେଳେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପାଣି ଚାଷ ଜମିରେ ପଶିବା ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆୟତପୁର ପଂଚାୟତ । ଏଠାରେ ଶହ ଶହ ହେକ୍ଟରର କାକୁଡି, ଜହ୍ନି, ବାଇଗଣ ଓ ଭେଣ୍ଡି ଫସଲ ଏବେ ଉଜୁଡି ଯାଇଛି । ପରିବା ଫସଲ ପୁରା ପାଣି ଘେରରେ ।

ବନ୍ୟା ସ୍ଥିତିକୁ ନେଇ ଡେପୁଟି ଏସଆରସି କହିଛନ୍ତି, କେନ୍ଦ୍ରାପଡା ଓ ପୁରୀର ତଳିଆ ଅଂଚଳ ଜଳମଗ୍ନ ହୋଇଛି । ଅନୁଗୁଳ ଟିକରପଡାରେ ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେନ୍ଦ୍ରାପଡାରେ ୨ଟା ଗାଁରୁ ୧୮ ଲୋକଙ୍କୁ ଓ ପୁରୀରେ ୮୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ବାଙ୍କି କିଛି ଅଂଚଳ ଜଳମଗ୍ନ ହୋଇଥିବା ଡେପୁଟି ଏସଆରସି ପ୍ରଭାତ ମହାପାତ୍ର କହିଛନ୍ତି ।